ବ୍ୟାରିକେଡ ଭାଙ୍ଗି ଲାଲକିଲ୍ଲାରେ ଚଢ଼ି ଆନ୍ଦୋଳନ କଲେ ଚାଷୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜିର ଦିନରେ ଭାରତରେ ସମ୍ବିଧାନର ପ୍ରଣୟନ କରାଯାଇଥିଲା। ଏହି ଅବସରରେ ଚାଷୀମାନେ କୃଷି ନୀତିକୁ ନେଇ ଉତ୍ତେଜନା ସୃଷ୍ଟି କରିଛନ୍ତି। ପ୍ରଣୀତ ନୂତନ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ଅନେକ ଆଇନକୁ ଭଙ୍ଗ କରିଛନ୍ତି। ପୁଲିସ ବ୍ୟାରିକେଡ୍ ଭାଙ୍ଗିବା ସହ ଅନେକ ଭଙ୍ଗାରୁଜା କରିଛନ୍ତି। ଏହାପରେ ହଜାର ହଜାର ଚାଷୀ ଏକତ୍ର ହୋଇ ଆଇଟିଓରେ ପୁଲିସକୁ ଠେଲି ସେଠାରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏଥିସହ ଲାଲକିଲ୍ଲା ଉପରେ ଚଢ଼ି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଆଜିର ଦିନରେ ଲାଲକିଲ୍ଲାରେ ଜାତୀୟ ପତାକା ଉଡାଯାଉଥିବା ବେଳେ ସେମାନେ ସେଠାରେ ଦଳୀୟ ପତାକା ଲଗାଇଛନ୍ତି।

ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା କରୁଥିବା ପୁଲିସ ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି ଏହି ଆନ୍ଦୋଳନକାରୀମାନେ। ଏଥିରେ ବହୁ ଦିଲ୍ଲୀ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ବସକୁ ଟ୍ରାକ୍ଟର ସାହାଯ୍ୟରେ ଧକ୍କା ଦେଇ କେନ୍ଦ୍ରୀୟ ଦିଲ୍ଲୀକୁ ଧସେଇ ପଶିଛନ୍ତି ଚାଷୀ। ଏହି ପରିସ୍ଥିତିକୁ ପୁଲିସ ପ୍ରଶାସନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।