ସାପ୍ତାହିକ ହାଟ ବନ୍ଦକୁ ବିରୋଧ କଲେ ଚାଷୀ ଓ ପରିବା ବେପାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ୨୧ଦିନ ଯାଏଁ ବନ୍ଦ ନିଷ୍ପତ୍ତିକୁ ଜିଲ୍ଲାର ପରିବା ଚାଷୀ ତଥା ବେପାରୀମାନେ ବିରୋଧ କରିଛନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ଚାଷୀ ଓ ବେପାରୀମାନେ ଝାରସୁଗୁଡ଼ା ଟାଉନ ରାସ୍ତା ଉପରେ ନିଜର ସମସ୍ତ ପନିପରିବା ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟକୁ ବନ୍ଦ କରାଯାଇଥିବାବେଳେ ସହରରେ ଥିବା ଏକ ମାତ୍ର ଏବଂ ଜିଲ୍ଲାର ସବୁଠୁ ବଡ଼ ହୋଲସେଲ ବଜାରକୁ ପ୍ରବେଶ କରିବା ପାଇଁ ଆଜି ବେପାରୀ ଓ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଚାଷୀ ତଥା ବେପାରୀମାନେ ଏହାକୁ ବିରୋଧ କରିବାରୁ ତାଙ୍କ ଉପରେ ଲାଠି ଚାର୍ଜ କରାଯାଇଥିବା ଝାରସୁଗୁଡ଼ା ପନିପରିବା ହୋଲସେଲ କମିଟିର ସମ୍ପାଦକ କହିଛନ୍ତି।

ସୂଚନାଯୋଗ୍ୟ, ନିରୀହ ଚାଷୀ ଓ ବେପାରୀଙ୍କୁ ହୋଲସେଲ ବଜାର ଭିତରକୁ ପ୍ରବେଶ କରିବା ପାଇଁ ରୋକିବାରୁ ସେମାନେ ନିଜ ନିଜ ପରିବା ବିକ୍ରି କରି ପାରିନଥିଲେ। ହୋଲସେଲ ମାର୍କେଟରେ ପ୍ରବେଶ କରିବା ପାଇଁ ସେମାନେ ଅନୁମତି ମାଗିଥିଲେ ହେଁ ତାଙ୍କ ଅନୁରୋଧକୁ ପୁଲିସ ପକ୍ଷରୁ ରକ୍ଷା କରାନଯାଇ ତାଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା। ପ୍ରଶାସନ ଓ ପୁଲିସର ସାପ୍ତାହିକ ହାଟ ବନ୍ଦ ଓ ଲାଠିଚାର୍ଜ ପରି ନିଷ୍ଠୁର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ହୋଲସେଲ ବଜାରକୁ ଆସିଥିବା ସମସ୍ତ ବେପାରୀ ତଥା ଚାଷୀମାନେ ଝାରସୁଗୁଡ଼ା ଟାଉନ ରାସ୍ତାରେ ନିଜ ନିଜ ପନିପରିବା ଢାଳିି ଦେଇଛନ୍ତି। ହୋଲସେଲ ବଜାରକୁ ପୂର୍ବାହ୍ନ ୧୧ଟା ଯାଏଁ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବାସହ ବନ୍ଦ ଥିବା ସାପ୍ତାହିକ ହାଟଗୁଡ଼ିକ ତଥା ସ୍ଥାନାନ୍ତରିତ ହେଉଥିବା ଦୈନିକ ହାଟର ବେପାରୀ ତଥା ଚାଷୀଙ୍କୁ ଅନ୍ୟ ସ୍ଥାନରେ ବଜାର ଲାଗାଇବା ପାଇଁ ସ୍ଥାନ ଚିହ୍ନଟ କରାଯାଉ। ଅନ୍ୟପଟେ ଝାରସୁଗୁଡ଼ା ପୌରପରିଷଦ ଅଧିକାରୀ ଯୋଗେନ୍ଦ୍ର ମାଝୀ ବିକ୍ଷୋଭସ୍ଥଳକୁ ପହଂଚି ଆନ୍ଦୋଳକାରୀଙ୍କୁ ବୁଝାସୁଝା କରିଥିଲେ। ହୋଲସେଲ ମାର୍କେଟ ଖୋଲିବା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ, ଚାଷୀ ଓ ବେପାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା।