ଅଗ୍ନିକାଣ୍ଡରେ ଜଳିଗଲା ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଔଷଧ, ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ

ଆଳି,ଏନ୍ଏନ୍ଏସ୍: ଆଳି ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କଟକ-ଚାନ୍ଦବାଲି ରାସ୍ତାର ଆଳି ମେଡିକାଲ ରୋଡରେ ଥିବା ଦି କିୟୋର ମେଡିସିନ ଷ୍ଟୋରରେ କେହୁ ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିବା ଦୋକାନ ମାଲିକ ମହମ୍ମଦ ନସିମ ଅହମ୍ମଦ ଆଳି ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ସବୁଦିନ ପରି ସେ ରବିବାର ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ପାଖ ଦୋକାନୀ ଦୋକାନରେ ନିଆଁ ଲାଗିଥିବା ଖବର ଦେଇଥିଲେ। ସେ ସଙ୍ଗେ ସଙ୍ଗେ ଦୋକାନ ନିକଟରେ ପହଞ୍ଚି ଦୋକନ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ପରେ ଆଳି ଦମକଳ କେନ୍ଦ୍ରକୁ ଖବର ଦେବାରେ ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଦୋକାନର ସବୁ ଜିନିଷ ଜଳି ଯାଇଥିଲା।

ଏହି ପରିପେକ୍ଷୀରେ ଦୋକାନରେ ଥିବା ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଔଷଧ ସମେତ ଫ୍ରିଜ, କମ୍ପ୍ୟୁଟର, ଚେୟାର, ଟେବୁଲ, ର୍ୟାକ ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେହି ଦୁର୍ବୃତ୍ତ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ସେ ଆଳି ଥାନାରେ ଅଭିଯୋଗ କରିଛନ୍ତି।