ପୁଣି ଜଣେ ବ୍ରେନ୍‌ ଡେଡ୍‌ ରୋଗୀଙ୍କ କିଡ୍‌ନୀ ଦାନ କଲେ ପରିବାର ଲୋକେ, ଅମର ହୋଇଗଲେ ରାଜଲକ୍ଷ୍ମୀ

କଟକ,ଏନ୍ଏନ୍ଏସ୍: କଟକ ବଡ ମେଡିକାଲରେ ଆଜି ଜଣେ ରୋଗୀର ବ୍ରେନ୍‌ ଡେଡ୍‌ ହୋଇଯିବା ପରେ ତାଙ୍କର ଅଙ୍ଗଦାନ କରାଯାଇଛି। ରାଜ୍ୟରେ ଏଭଳି ଘଟଣା ତୃତୀୟ ହୋଇଥିବା ବେଳେ ରୋଗୀଙ୍କର କିଡ୍‌ନୀ ଦାନ କରାଯାଇଥିବା ଜଣାଯାଇଛି। ସେ  ହେଲେ ପୁରୀ ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ। ସଡ଼କ ଦୁର୍ଘଟଣାରେ ଆହତ ହୋଇ ହାଇଟେକ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତକାଲି ସକାଳେ ରାଜଲକ୍ଷ୍ମୀଙ୍କୁ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ତାଙ୍କର କିଛି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ସମ୍ପର୍କରେ ଅଙ୍ଗଦାନ ସଂସ୍ଥା ସୋଟୋ ସହ ଯୋଗାଯୋଗ କରିବା ପରେ ଏସ୍‌ସିବିର ଜଣେ ରୋଗୀଙ୍କ ଦେହରେ କିଡ୍‌ନୀ ପ୍ରତିରୋପଣ ପାଇଁ ସ୍ଥିର କରାଯାଇଥିଲା। ରାଜଲକ୍ଷ୍ମୀ ଦେହରୁ କିଡନୀ ବାହାର କରାଯାଇ ସୁରକ୍ଷିତ ଭାବେ ଏସିସିବିକୁ ଅଣାଯାଇଛି। ରାଜ୍ୟର ତୃତୀୟ କାଡାଭରିକ୍ କିଡ୍‌ନୀପ୍ରତିରୋପଣ ଅସ୍ତ୍ରୋପଚାର ହେବ। ଏହି କିଡ୍‌ନୀର ଅସ୍ତ୍ରୋପଚାର ପାଇଁ ଏସ୍‌ସିବିର ୟୁରୋଲୋଜି ବିଭାଗରେ ବିଶେଷଜ୍ଞ ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି।