ସୁଶାନ୍ତଙ୍କୁ ଶେଷ ବିଦାୟ ଦେଲେ ପରିବାର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତ୍ରୟୋଦଶୀରେ ପରିବାର ସଦସ୍ୟ ଏକ ବିବୃତ୍ତି ଜାରି କରି ତାଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ଏହା ସହିତ ପରିବାର ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇଛି। ବିବୃତ୍ତିରେ କୁହାଯାଇଛି – ‘ଅଲବିଦା ସୁଶାନ୍ତ, ଦୁନିଆ ପାଇଁ ଯିଏ ସୁଶାନ୍ତ ସିଂହ ରାଜପୁତ ଥିଲା, ଆମ ପାଇଁ ସେ ଥିଲା ଆମ ସ୍ନେହର ଗୁଲସନ। ସେ ଥିଲା ସ୍ୱାଧୀନଚେତା, ଗପୁଡ଼ା ଓ ବହୁତ ବୁଦ୍ଧିମାନ। ସବୁ ଜିନିଷରେ ଥିଲା ତା’ର ଆଗ୍ରହ।’

ଏହା ସହିତ ପରିବାର ବର୍ଗଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୁଶାନ୍ତଙ୍କ ସ୍ମୃତିକୁ ତାଜା କରି ରଖିବା ପାଇଁ ଏକ ଫାଉଣ୍ଡେସନ ଗଠନ କରାଯିବ, ଯେଉଁଥିରେ ସିନେମା, ବିଜ୍ଞାନ ଓ କ୍ରୀଡ଼ା କ୍ଷେତ୍ରର ପ୍ରତିଭାଙ୍କୁ ସୁଯୋଗ ଓ ପ୍ରୋତ୍ସାହନ ଦିଆଯିବ। ସୁଶାନ୍ତଙ୍କ ଶୈଶବ ବିତିଥିବା ପାଟନାର ରାଜୀବ ନଗରସ୍ଥିତ ଘରକୁ ମେମୋରିଆଲ କରାଯିବ, ଯେଉଁଥିରେ ସୁଶାନ୍ତଙ୍କ ବହି, ଟେଲିସ୍କୋପ, ଫ୍ଲାଇଟ୍ ସିମ୍ୟୁଲେଟର ସହିତ ଅନ୍ୟ ବ୍ୟବହୃତ ଜିନିଷ ସାଇତି ରଖାଯିବ। ଏହାକୁ ପ୍ରଶଂସକ ଦେଖିବା ସହ ତାଙ୍କୁ ମନେପକେଇବେ। ଏବେଠୁ ସୁଶାନ୍ତଙ୍କ ଫେସବୁକ, ଇନଷ୍ଟାଗ୍ରାମ୍, ଟୁଇଟର ପୃଷ୍ଠାକୁ ମେମୋରାଲାଇଜ୍ଡ କରିଦିଆଯିବ।