କରୋନା ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,ଏଜେନ୍ସି: ନାକରେ ଲେମ୍ବୁରସ ମାତ୍ର ଦୁଇ ଠୋପା ପକାଇଲେ ଶରୀରରେ ଅକ୍ସିଜେନ ମାତ୍ରା ବୃଦ୍ଧି ପାଇବ ଏବଂ କୋଭିଡ୍ ସଂକ୍ରମଣରୁ ରକ୍ଷା ମିଳିବ ବୋଲି ଏଭଳି ଏକ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ପତ୍ର ସୂଚନା ବ୍ୟୁରୋ(ପିଆଇବି) ପକ୍ଷରୁ କୁହାଯାଇଛି, ଲେମ୍ବୁ ଚିକିତ୍ସା ସମ୍ପର୍କିତ ଭିଡିଓ ସରକାରଙ୍କ ଦୃଷ୍ଟିକୁ ଆସିଛି। ଲେମ୍ବୁରସ ଦ୍ୱାରା କରୋନା ସଂକ୍ରମଣ ଦୂର ହେବାର କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ। ଏହାଦ୍ୱାରା ମଧ୍ୟ ଶରୀରରେ ଅକ୍ସିଜେନ ମାତ୍ରା ବୃଦ୍ଧି ପାଇବ ବୋଲି ଯାହା କୁହାଯାଉଛି ସେସବୁ ଅମୂଳକ। ଲେମ୍ବୁ ଚିକିତ୍ସା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରି କରୋନା ସଂକ୍ରମଣକୁ ରୋକିପାରିବ ବୋଲି ଯାହା କୁହାଯାଉଛି ତାହା ମଧ୍ୟ ଠିକ୍ ନୁହେଁ।