ଫେରାର ଥିବା ନକଲି ଡାକ୍ତର ଗିରଫ

ମାଲକାନଗିରି, ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର କାଲିମେଳା ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ପୁଲିମେଟଲା , ଏମ.ପି.ଭି-୬ ଗାମର ମନି ବୈଦ୍ୟଙ୍କ ପୁତ୍ର ସମୀର ବୈଦ୍ୟ ପକ୍ଷାଘାତ ରୋଗରେ ଅନେକ ଦିନ ଧରି ପିଡ଼ିତ ଥିଲେ। ଉନ୍ନତ ଧରଣର ଚିକିତ୍ସା ପାଇଁ ବାହାରକୁ ନେବାକୁ ତାଙ୍କ ପରିବାର ନିକଟରେ ଅର୍ଥ ନଥିବାରୁ ଏମ.ଭି-୪୧ ଗ୍ରାମର କ୍ୱାକ ଡାକ୍ତର ସମର ମୈତ୍ରଙ୍କ ପାଖକୁ ନେଇଥିଲେ। ସେଠାରେ ଚିକିତ୍ସିତ ହେବାର କିଛି ଦିନ ପରେ କ୍ୱାକ ଡାକ୍ତର ଜଣକ ରୋଗ ପାଇଁ ୨ ଟି ଇଞ୍ଜକସନ ଆଣିଥିବା କହିଥିଲେ।

ଗତ ଅକ୍ଟୋବର ୮ ତାରିଖରେ ତାଙ୍କ ପରିବାର ବର୍ଗ ଚିକିତ୍ସା ପାଇଁ ନକଲି ଡାକ୍ତର ସମରଙ୍କ ନିକଟକୁ ନେଇଥିଲେ। ଡାକ୍ତର ଗୋଟିଏ ଇଞ୍ଜକସନ ଦେବାରୁ ସମୀରଙ୍କ ଦେହ ଗୁରୁତ୍ୱର ହୋଇଥିଲା ଓ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ସମୀରଙ୍କ ପିତା ପୋଟେରୁ ଫାଣ୍ଡିରେ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଏକ ଏତଲା ଦେଇଥିଲେ। ଏତଲା ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ଜାଣିବା ପରେ ନକଲି ଡାକ୍ତର ଫେରାର ହୋଇଯାଇ ଥିଲେ। ତାଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଖୋଜାଖୋଜି କରିବା ପରେ ମଙ୍ଗଳବାର ଗିରଫ କରିଛି। ବୁଧବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋମନାଥ ଦଳବେହେରା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ନକଲି ଡାକ୍ତର ସମରଙ୍କ ଘର ଜଗତସିହପୁର ଜିଲ୍ଲା ପାରାଦ୍ୱୀପ ଅଂଚଳରେ ବୋଲି ଜଣାପଡ଼ିଛି। ସେ ପ୍ରାୟ ୫ ବର୍ଷ ହେଲା ଏମ.ଭି-୪୧ ଗ୍ରାମରେ ରହି ରୋଗୀ ସେବା କରୁଥିଲେ।