ଜାଲ୍ ଜନ୍ମ ପ୍ରମାଣପାତ୍ର ଜାଲରେ ଓସିଏ

କଟକ,ଏନ୍ଏନ୍ଏସ୍: କେତେକ ଅଣଓଡ଼ିଆ ଖେଳାଳିଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ। ସେମାନେ ଓଡ଼ିଶା ବାହାରୁ ଆସି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ରେ ଜାଲି ଜନ୍ମ ପ୍ରମାଣପତ୍ର ଦେଇ ବିଭିନ୍ନ ମ୍ୟାଚ୍ ଖେଳିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏପରିକି ସେମାନେ ଦୁଇ ଦୁଇ ପ୍ରକାରର ଜନ୍ମ ପ୍ରମାଣପତ୍ର ଦେଇଥିଲେ ମଧ୍ୟ ଓସିଏ ପକ୍ଷରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କ୍ଷୋଭର ବିଷୟ। ଜାଲ ପ୍ରମାଣପତ୍ର ଜାଣି ଓସିଏରେ ସେମାନଙ୍କୁ ମ୍ୟାଚ୍ ଖେଳିବା ପାଇଁ ସାମିଲ କରାଯାଇନଥିବାବେଳେ ସେମାନଙ୍କ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଇନଗତ ପଦକ୍ଷେପ ନିଆଯାଇନାହିଁ।

ଖବର ନେବାରେ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ଜଣେ ଅଣଓଡ଼ିଆ ଖେଳାଳି ରଣଜୀ ଟ୍ରଫି ସିନିୟର ମ୍ୟାଚ୍ ଖେଳିବା ପାଇଁ ଜାଲି ଜନ୍ମ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସେ ୨୦୧୮ ମସିହାରେ ଏହି ମ୍ୟାଚ୍ ଖେଳିବା ପାଇଁ ଓସିଏକୁ ଆବେଦନ କରିଥିଲେ। ସେ ତାଙ୍କ ଜନ୍ମପ୍ରମାଣପତ୍ର ଦାଖଲ କରିଥିଲେ। ଏଥିରେ ଉତ୍ତରପ୍ରଦେଶ ମୁଜାଫରନଗର ବୋକାରିହେରି ଠିକଣା ତାଙ୍କ ସାର୍ଟିଫିକେଟରେ ଉଲ୍ଲେଖ ରହିଥିଲା। ତେବେ କୌଣସି କାରଣରୁ ରଞ୍ଜି ଟ୍ରଫି ସିନିୟର ମ୍ୟାଚ୍ ଖେଳିବା ନିମନ୍ତେ ମନୋନୟନ ପ୍ରକ୍ରିୟାରୁ ତାଙ୍କୁ ବାଦ୍ ଦିଆଯାଇଥିଲା।

ଚଳିତବର୍ଷ ସେ ଏ ନେଇ ଆବେଦନ କରିଥିଲେ। ପ୍ରଥମ ଆଧାର କାର୍ଡରେ ମୁଜାଫରନଗର ଦର୍ଶାଇଥିବା ବେଳେ ଏଥର ସେ ଅନ୍ୟ ଏକ ଆଧାର କାର୍ଡରେ ତାଙ୍କ ଠିକଣା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସିକା ବୋଲି ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ଅଣଓଡ଼ିଆ ଖେଳାଳି ଦାଖଲ କରିଥିବା ପୂର୍ବ ଆଧାର କାର୍ଡ ଏବଂ ଏହି ଆଧାର କାର୍ଡ ଭିନ୍ନ ଭିନ୍ନ ହୋଇଥିବାରୁ ଏଥିରେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି। ସେହିଭଳି ଅନ୍ୟ କେତେକ ଅଣଓଡ଼ିଆ ଖେଳାଳି ଜାଲି ପ୍ରମାଣପତ୍ର ଦେଇ ବିଭିନ୍ନ ମ୍ୟାଚ୍ ଖେଳିବା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଏପରିକି କଳାହାଣ୍ଡି କପ୍ ପାଇଁ ନୂଆପଡ଼ା ଜିଲ୍ଲାରୁ ଖେଳାଳି ଚୟନ ନିମନ୍ତେ ଜଣେ ଖେଳାଳି ଆବେଦନ କରିଥିବାବେଳେ ସୂଚନା ଅଧିକାର ଆଇନ ବଳରେ ସେ ଓଡ଼ିଶାରେ ଜନ୍ମ ଗ୍ରହଣ କରିନଥିବା ଏବଂ ତାଙ୍କ ଘର ମହାରାଷ୍ଟ୍ରର ରାଜାରାମପୁର ଅନ୍ତର୍ଗତ କୋହ୍ଲାପୁରରେ ବୋଲି ଜଣାପଡ଼ିଛି। ୨୦୧୮ ମସିହାରେ ଆନ୍ତଃଜିଲ୍ଲା ସିନିୟର କଳାହାଣ୍ଡି କପ୍ କ୍ରିକେଟ ଖେଳିବା ପାଇଁ ନୂଆପଡ଼ାରୁ ତାଙ୍କର ନାମ ସିଲେକ୍ସନ ପାଇଁ ଓସିଏକୁ ସୁପାରିସ୍ ହୋଇଥିଲା। ବର୍ତ୍ତମାନ ପୁଣି ସେ ମ୍ୟାଚ୍ ଖେଳିବା ପାଇଁ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ରରେ କୋହ୍ଲାପୁର ବୋଲି ଦର୍ଶାଇ ଆବେଦନ କରିଛନ୍ତି।

ଏ ବିଷୟରେ ଓସିଏର ମୁଖ୍ୟ ନିର୍ବାହୀ ଅଧିକାରୀ ବିଦ୍ୟୁତ୍ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ଓସିଏ ପକ୍ଷରୁ ସମ୍ପୃକ୍ତ ଖେଳାଳିମାନଙ୍କୁ ତୁରନ୍ତ ସେମାନଙ୍କ ପକ୍ଷ ରଖିବା ପାଇଁ ଆବଶ୍ୟକୀୟ ସାର୍ଟିଫିକେଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସାମୟିକ ଭାବେ କ୍ୟାମ୍ପରେ ଖେଳିବା ପାଇଁ ବାରଣ କରାଯାଇଥିଲା। ସେବେଠାରୁ ଏହି ଖେଳାଳିମାନେ କ୍ୟାମ୍ପ ଛାଡି ପଳାଇଛନ୍ତି ଓ ତାଙ୍କର କୈାଣସି ପତ୍ତା ମିଳୁନାହିଁ ବୋଲି କହିଥିଲେ।