ବିକାଶ ଇନଷ୍ଟିଚ୍ୟୁସନ୍ ଦ୍ୱାରା ‘ଫେକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ’

ବରଗଡ଼,ଏନ୍ଏନ୍ଏସ୍: ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ତର୍ଗତ ବିକାଶ ସ୍କୁଲ ଆଣ୍ଡ ବିଜନେସ୍ ମ୍ୟାନେଜମେଣ୍ଟ ଦ୍ୱାରା ଆୟୋଜିତ ୬ ଦିବସୀୟ ‘ଆରଟିସିଏସ୍ଏ ୨୦୨୦’ ଫେକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଉଦଘାଟିତ ହୋଇଯାଇଛି। ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ଯ୍ୟକ୍ରମରେ ଭାରତର ୨୪ଟି ରାଜ୍ୟ ସମେତ ଯୁକ୍ତରାଷ୍ଟ୍ର ଆମେରିକା ଓ ନାଇଜେରିଆର ଗବେଷକ ଅଂଶଗ୍ରହଣ କରିଛନ୍ତି। ୪୩୨ ଜଣ ଅଧ୍ୟାପକ, ଗବେଷକ ଓ କମ୍ପ୍ୟୁଟର ଶାସ୍ତ୍ର ବିଶାରଦ ପଞ୍ଜିକୃତ କରିଥିବା ଏହି କାର୍ଯ୍ୟକ୍ରମକୁ ପ୍ରଥମ ଦିନରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମେନ୍ ଡି.ମୂରଲୀ କ୍ରୀଷ୍ଣା ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରଥମ ଦିବସରେ ହାଇଦ୍ରାବାଦ ସିଏମଆର୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନରୁ ବରିଷ୍ଠ ପ୍ରଫେସର୍ ଡା.ଶରତ ଚନ୍ଦ୍ର ନାୟକ ବକ୍ତାଭାବେ ଯୋଗଦେଇ ମେସିନ୍ ଲର୍ଣ୍ଣିଂ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଜୁମ୍ ଅନଲାଇନ ୱେବିନାର୍ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଫେସବୁକରେ ପ୍ରତ୍ୟକ୍ଷ ପ୍ରସାର କରାଯାଇଥିଲା। ଏହି ୬ ଦିବସୀୟ କାର୍ଯ୍ୟକ୍ରମରେ ପ୍ରତିଦିନ ଏକ ଭିନ୍ନ ବିଷୟବସ୍ତୁ ଉପରେ ଭିନ୍ନ ଭିନ୍ନ ବକ୍ତା ଏବଂ ଗବେଷକ ଆଲୋଚନା କରିବେ। ଏହି ଅବସରରେ ବିକାଶ ଗ୍ରୁପର ଏକଜିକ୍ୟୁଟିଭ୍ ଡାଇରେକ୍ଟର ଭି.ଶ୍ରୀନିବାସ ଏବଂ ଡାଇରେକ୍ଟର ଡା. ସମରେନ୍ଦ୍ର ନାଥ ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିକାଶ ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡା.କ୍ଷୀରୋଦ କୁମାର ପ୍ରଧାନ ସଭାପତି ଦାୟିତ୍ୱ ବହନ କରିଥିବାବେଳେ ଇଂ.ସତ୍ୟବ୍ରତ ସାହୁ ଏବଂ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଆର୍.ଏସ୍.ଭି. କ୍ରୀଷ୍ଣା ସଂଯୋଜନା କରିଥିଲେ।