ହଜିଲା ବୃଦ୍ଧଙ୍କୁ ଫେରାଇ ଆଣିଲା ଫେସବୁକ୍

ଝାରସୁଗୁଡ଼ା,ବଲାଙ୍ଗିର: ଦୀର୍ଘ ୪ ବର୍ଷ ଧରି ନିଖୋଜ ଥିବା ବାପାଙ୍କୁ ଆଜି ଫେସବୁକ ଯୋଗୁଁ ଫେରି ପାଇଛନ୍ତି ପରିବାର ଲୋକେ । ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ଝାରସୁଗୁଡ଼ା ଜିଲ୍ଲାର ମରାକୁଟା ତିହାଡିପାଲି ଅଂଚଳର ନୀଳକଣ୍ଠ ବାଦୀ ୪ ବର୍ଷ ପୂର୍ବେ ଘରୁ ପଳାଇ ଏଣେତେଣେ ବୁଲାବୁଲି କରୁଥିଲେ। ସେ ଅତି ଦୟନୀୟ ଭାବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ଫାଟକ ରାସ୍ତାରେ ବୁଧବାର ବୁଲାବୁଲି କରୁଥିବାବେଳେ ଯୁବ ସମାଜସେବୀ ପ୍ରଭାତ କୁମାର ମହାନନ୍ଦ ନିଜ ଦୁଇ ସାଥୀଙ୍କ ସହ ବୃଦ୍ଧଙ୍କୁ ଖାଇବା ଦେବାସହ ତାଙ୍କ ବିଷୟରେ ପଚରିଥିଲେ। ବୃଦ୍ଧ ଜଣକ ସଠିକ ଭାବରେ କିଛି କହି ନପାରିବାରୁ ପ୍ରଭାତ ତାଙ୍କ ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲେ । ଏହାପରେ ଝାରସୁଗୁଡାରେ ଥିବା ନୀଳକଣ୍ଠଙ୍କ ପୁଅ ସୁରେଶ ବାପାଙ୍କୁ ଫେସବୁକରେ ଦେଖି ପ୍ରଭାତଙ୍କ ଫୋନ ନମ୍ବର ମାଗି ତାଙ୍କସହ କଥା ହୋଇଥିଲେ। ଏବଂ ସେ ଫେସବୁକରେ ଛାଡିଥିବା ଫୋଟୋ ଟି ତାଙ୍କ ବାପାର ଓ ସେ ଶୀଘ୍ର ତାଙ୍କୁ ନେବାପାଇଁ ବଲାଙ୍ଗିର ଆସୁଛନ୍ତି କହି ସୁରେଶ ଓ ତାଙ୍କ ୩ ଭାଇ ଓ ଭଉଣୀ ଝାରସୁଗୁଡ଼ାରୁ ଏକ ଗାଡ଼ିରେ ବାପା ନୀଳକଣ୍ଠଙ୍କୁ ନେବାକୁ ଆଜି ବଲାଙ୍ଗିର ଅଭିମୁଖେ (ଦେଓଗାଁ ) ଯାଇଛନ୍ତି। ଅନ୍ୟପଟେ ପ୍ରଭାତ ବୃଦ୍ଧ ନୀଳକଣ୍ଠଙ୍କ ଗାଧୋଇବା, ଖାଇବାର ବ୍ୟବସ୍ଥା କରି ଦେଓଗାଁ ଥାନାରେ ନୀଳକଣ୍ଠଙ୍କୁ ସାମୟୀକ ରଖିବାର ବ୍ୟବସ୍ଥା କରିଛନ୍ତି ।