ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ମାନଚିତ୍ରରେ ସାମିଲ କରିବା ଘଟଣାରେ ବୈଦେଶିକ ମନ୍ତ୍ରାଳୟର କଡ଼ା ଚେତାବନୀ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବର୍ତ୍ତମାନ ନେପାଳ ଭାରତ ପାଇଁ ଆଉ ଏକ ଦ୍ୱନ୍ଦ ସୃଷ୍ଟି କରିଛି। ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ମାନଚିତ୍ରରେ ସାମିଲ କରିଛି। ଭାରତର ଲିପୁଲେଖ, ଲିମ୍ପିଆଧୁରା ଓ କଳାପାଣି ଅଞ୍ଚଳକୁ ନେପାଳ ନିଜ ଦେଶର ମାନଚିତ୍ରରେ ସାମିଲ କରିବା ସହିତ ଏହି ଅଞ୍ଚଳ ଗୁଡ଼ିକ ନେପାଳର ବୋଲି ଦର୍ଶାଇଛି। ଏ ନେଇ ନେପାଳ ପକ୍ଷରୁ ଏକ ସ୍ୱତନ୍ତ୍ର ମାନଚିତ୍ର ମଧ୍ୟ ପ୍ରସ୍ତୁତ କରିଛି। ଏକ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ପଦ୍ମା କୁମାରୀ ଏହି ମାନଚିତ୍ରକୁ ଉନ୍ମୋଚନ କରିଛନ୍ତି। ଏହି ନୂତନ ମାନଚିତ୍ରରେ ନେପାଳର ସୀମା ୩୩୫ ବର୍ଗ କି.ମି. ବୃଦ୍ଧି ପାଇଛି।

ଏହି ନୂତନ ମାନଚିତ୍ରକୁ ଭାରତ ପକ୍ଷରୁ ସକାରତ୍ମକ ଭାବେ ଗ୍ରହଣ କରାଯିବ ବୋଲି ନେପାଳ ସରକାର କହିଛନ୍ତି। ଏହାର ପ୍ରତିଉତ୍ତରରେ ଭାରତ ପକ୍ଷରୁ କଡା ପ୍ରତିକ୍ରିୟା ରଖାଯାଇଛି। ନେପାଳ ନିଜ ଇଚ୍ଛାରେ ତା’ର ସୀମାକୁ ବୃଦ୍ଧି କରିଛି ଏବଂ ଏହାକୁ କୌଣସି ପରିସ୍ଥିତିରେ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ଏଥିସହ ନେପାଳ ସରକାର ଏପରି ନିଷ୍ପତ୍ତି କରି ଦୁଇ ଦେଶ ମଧ୍ୟରେ ବୁଝାମଣା ବିରୋଧ କରୁଛି। ତେବେ ଦୁଇ ଦେଶ ମଧ୍ୟରେ ଥିବା ସୀମା ବୁଝାମଣାରେ ଏହା ଆଲୋଚନା କରାଯାଇ ସମାଧାନ ହୋଇପାରିଥାନ୍ତା ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ତେବେ ଲିମ୍ପିଆଧୁରା ଓ କଳାପାଣି ଅଞ୍ଚଳ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ୧୯୬୨ ପରଠାରୁ ଏହା ଭାରତର ରହିଆସିଛି।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ଲିପୁଲେଖ ଅଞ୍ଚଳକୁ ୧୮୧୬ରେ ବ୍ରିଟିଶ ସରକାର ସହ ହୋଇଥିବା ଚୁକ୍ତି ଅନୁସାରେ ନେପାଳ ଏହାକୁ ନିଜ ମାନଚିତ୍ରରେ ସାମିଲ କରିଥିବା ଜଣାପଡ଼ିଛି। ଭାରତ ଓ ନେପାଳ ମଧ୍ୟରେ ୧୬୯୦ କି.ମି.ର ସୀମା ରହିଛି।