କାଳବୈଶାଖୀରେ ଖୀରେଇଟାଙ୍ଗିରୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ବ୍ଲକର ଖିରେଇଟାଙ୍ଗିରୀ ପଞ୍ଚାୟତର ଅନେକଙ୍କ ଲୋକଙ୍କ ଘର ଉପରେ ଗଛ ପଡି ଘର ଭାଙ୍ଗି ଯାଇଛି। ସେହିପରି ଏକ ଫେବ୍ରିକେସନ ଘରର ଆଜିବେଷ୍ଟସ ଛପର ଉଡି ଯାଇଛି।

ଖିରେଇଟାଙ୍ଗିରୀ ଗ୍ରାମର ମହୁଲିଆ ସାହିର ସୁରେଶ ମହାନ୍ତ, କରଣ ବନ୍ଦ ସାହିର ପଟେଲ ନାଏକଙ୍କ ଖପର ଘର ଉପରେ ଆମ୍ବ ଗଛ ଭାଙ୍ଗି ପଡିବାରୁ ଘର ଭାଙ୍ଗି ଯାଇଛି, ଉଦଘର ସାହିର କହ୍ନେଇ ନାଏକଙ୍କ ଖପର ଘର ଉପରେ ଗଛ ପଡି ନଷ୍ଟ ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମେଡିକାଲ ନିକଟରେ ଥିବା ଦେବେନ୍ଦ୍ର ଓଝାଙ୍କ ଘରର ଆଜିବେଷ୍ଟସ ଉପରେ ଲିମ୍ବ ଗଛ ପଡି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ଖିରେଇଟାଙ୍ଗିରୀ ହାଟ ନିକଟରେ ଥିବା ଦୀପକ ମଣ୍ଡଳ ଫେବ୍ରିକେସନ୍ ଘରର ଆଜିବେଷ୍ଟସ ମଧ୍ୟ ଉଡି ଯାଇଥିବା ବେଳେ କାଳବୈଶାଖୀରେ ଅନେକ ଲୋକଙ୍କ କ୍ଷତି ଘଟିଛି। ଫଳରେ ଲୋକଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।