ଧୁଷୁରୀ,ଏନ୍ଏନ୍ଏସ୍ : ରାଜ୍ୟର ବିଭିନ୍ନ ସ୍ଥାନରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକଳାପ ଚିନ୍ତାଜନକ ହୋଇଛି। ଏମାନେ କେଉଁଠି ଖାଦ୍ୟ ପିଙ୍ଗିଲେଣି ତ କେଉଁଠି ଟିକ୍ ଟକ୍ ଭିଡିଓ କରି ସଂକଟଜନକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ମାତ୍ର ଏ କ୍ଷେତ୍ରରେ ଆଦର୍ଶର ଉଦାହରଣ ସୃଷ୍ଟି କରିଛନ୍ତି ଧାମନଗର ବ୍ଲକ୍ ଅସୁରାଳି ଅଞ୍ଚଳର ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆମାନେ। ସଂଗରୋଧରେ ରହିବା ମଧ୍ୟରେ ସକାଳ ଆଉ ସନ୍ଧ୍ୟାରେ ଜୀବନଚର୍ଯ୍ୟା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି। କରୋନା ଯୋଗୁଁ କାମଧନ୍ଦା ହରାଇଥିବା ଅସୁରାଳି ଅଞ୍ଚଳର ୧୫ ଜଣ ପୁରୁଷ ଓ ମହିଳା ସୁରତରୁ ଆସି ଏଠାରେ ପହଞ୍ଚିଛନ୍ତି। ଏମାନଙ୍କୁ ସ୍ଥାନୀୟ ଭଦ୍ରକ ଇଞ୍ଜିନିୟରିଂ ସ୍କୁଲ୍ ଆଣ୍ଡ୍ ଟେକ୍ନେଲୋଜି (ବେଷ୍ଟ)ରେ ହୋଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଦୁଇଦିନ ହେଲା ରଖାଯାଇଛି।
ଏମାନେ ଏଠାରେ ପହଞ୍ଚିବା ପରଠାରୁ ଶୃଙ୍ଖଳିତ ଭାବେ ରହିଛନ୍ତି। ଗତକାଲି ସନ୍ଧ୍ୟାରେ ସମସ୍ତ ୧୫ ଜଣ ସାମାଜିକ ଦୂରତା ରଖି ଏକତ୍ର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଥିବା ଦେଖାଯାଇଥିଲା। ଏହି ସମୟରେ ସେଠାକୁ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଯାଇଥିବା ଅସୁରାଳି ସରପଞ୍ଚ ରାଜେନ୍ଦ୍ର କୁମାର ସାହୁ ଏପରି ଆଧ୍ୟାତ୍ମିକ ପରିବେଶ ଦେଖି ଅନ୍ୟମାନଙ୍କ ନଜରକୁ ଆଣିଥିଲେ। ସେହିପରି ଏହି ପ୍ରବାସୀ ଓଡ଼ିଆମାନେ ଆଜି ସକାଳୁ ନିତ୍ୟକର୍ମ ସାରି ଯୋଗରେ ବସିଥିବା ଦେଖାଯାଇଥିଲା। ପ୍ରାୟ ଦେଢଘଣ୍ଟାରୁ ଅଧିକ ସମୟ ଏମାନେ ବିଭିନ୍ନ ପ୍ରକାର ଯୋଗଭ୍ୟାସ କରିଥିଲେ। ପରେ ଯୋଗାଇ ଦିଆଯାଇଥିବା ଚା’ ଜଳଖିଆ ଖାଇଥିଲେ।
ବେଷ୍ଟ୍ ପରିସର ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତଙ୍କ ଘର ପାଶ୍ୱର୍ବର୍ତ୍ତୀ ଗାଁ’ରେ ହୋଇଥିଲେ ମଧ୍ୟ ଅନ୍ୟ କେନ୍ଦ୍ର ଭଳି ଏଠାରେ ପରିବାର ଲୋକଙ୍କ ଭିଡ଼ ନାହିଁ କିମ୍ବା ଘରୁ ଖାଇବା ଆସୁନାହିଁ। ସୁରକ୍ଷିତ ଜୀବନ ପାଇଁ କଟକଣା ମଧ୍ୟରେ ନୀତିନିୟମ ମାନିବା ସହିତ ପ୍ରାର୍ଥନା ଏବଂ ଯୋଗଭ୍ୟାସ ଭଳି ସକାରାତ୍ମକ କାର୍ଯ୍ୟକରି ଅସୁରାଳିର ଏହି ପ୍ରବାସୀ ଓଡ଼ିଆମାନେ ଅନ୍ୟମାନଙ୍କ ପାଇଁ ପ୍ରରଣା ସାଜିଛନ୍ତି। ଜନସାଧାରଣଙ୍କ ନଜରରେ ଏମାନେ ବି ଜଣେ ଜଣେ କରୋନା ଯୋଦ୍ଧା।