ନୂଆଦିଲ୍ଲୀ: ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କେଶୟାରୀଙ୍କୁ ରାଜଭବନରେ ଭେଟିଛନ୍ତି। ନିକଟରେ ମଦନ ଶର୍ମା ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର।’
ପୂର୍ବତନ ନୌସେନା ଅଧିକାରୀ ଆହୁରି କହିଛନ୍ତି ଯେ, ‘ଆକ୍ରମଣ ଘଟଣା ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇବା ସହ ଦୋଷୀଙ୍କ ବିରୁଦ୍ଧରେ କୋହଳ ଦଫା ଲଗାଯାଇଥିବା ପ୍ରକାଶ କଲି। ଆଉ ଉକ୍ତ ଘଟଣା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟପାଳ ଆଲୋଚନା କରିବେ ବୋଲି ମୋତେ ଆଶ୍ୱାସନା ଦେଇଛନ୍ତି।’
ସୂଚନାଯୋଗ୍ୟ, ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାସ ଓଠାବଲେ ମଦନ ଶର୍ମାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ରାମଦାସ ପୂର୍ବତନ ନୌସେନାଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଥିଲେ। ଅନ୍ୟପଟେ ଉକ୍ତ ମାମଲାର ୬ଜଣ ଆରୋପୀଙ୍କୁ ପୁନର୍ବାର ଗିରଫ କରାଯାଇଛି। ସମସ୍ତଙ୍କୁ ବୋରିବଲୀ କୋର୍ଟରେ ହାଜର କରାଯିବ। ଏମାନଙ୍କୁ ପୂର୍ବରୁ ଗିରଫ କରାଯାଇଥିଲେ ମଧ୍ୟ ଥାନାରେ ହିଁ ଜାମିନ ମିଳିଯାଇଥିଲା।