ପ୍ରତ୍ୟେକଙ୍କୁ ମିଳିବ ଟିକା, କେନ୍ଦ୍ର ବ୍ୟୟ କରିବ ୫୦ ହଜାର କୋଟି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ପ୍ରତିରୋଧକ ଟିକା ପ୍ରସ୍ତୁତ ହେବା ପରେ ଏହାକୁ ପ୍ରତ୍ୟେକ ଭାରତୀୟଙ୍କୁ ଉପଲବ୍ଧ କରାଯିବା ନେଇ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିବା ବେଳେ ଏଥିନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟୟ ବ୍ୟବସ୍ଥା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତ ଭଳି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଟିକାକରଣ ପାଇଁ କେନ୍ଦ୍ର ସରକାର ୭ ବିଲିୟନ ଡଲାର ବା ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବେ ବୋଲି ଏକ ବିଶେଷ ସୂତ୍ରରୁ କୁହାଯାଇଛି । ଭାରତର ୧୩୦ କୋଟି ଲୋକଙ୍କ ପାଇଁ ଟିକା ବ୍ୟବସ୍ଥା କରାଯିବା । ଟିକାକରଣ ବ୍ୟବସ୍ଥାରେ ପ୍ରତ୍ୟେକ ଦିଗର ଖର୍ଚ୍ଚକୁ ନେଇ ଜଣକ ପିଛା ୬ ରୁ ୭ ଡଲାର ବା ୪୪୦ ରୁ ୫୧୫ ଟଙ୍କା ବ୍ୟୟ କରାଯିବ ।

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇଟି ଟିକାର ଆବଶ୍ୟକତା ରହିଥିବା ବେଳେ ଟିକା ମୂଲ୍ୟକୁ ବାଦ୍‌ଦେଇ ଏହାର ସଂରକ୍ଷଣ ଏବଂ ପରିବହନ ବାବଦରେ ପ୍ରତି ଟିକା ପିଛା ଦୁଇରୁ ତିନି ଡଲାର ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ମୋଟ ବ୍ୟୟ ପରିମାଣ ୫୦ ହଜାର ଟଙ୍କା ରହିବ । ଏହି ପରିମାଣର ଅର୍ଥ ବ୍ୟୟ ପାଇଁ କୌଣସି ସମସ୍ୟା ନାହିଁ କି ଏଥିପାଇଁ ଋଣ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ କରାଯାଇଥିବା ବଜେଟ୍ ବ୍ୟବସ୍ଥା ଅନୁସାରେ ଏହି ବ୍ୟୟ ସାମିଲ ହେବ ବୋଲି କୁହାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟକୁ ଯୋଗାଯୋଗ କରାଯାଇଥିଲେ ହେଁ ସେଠାରୁ କୌଣସି ସୂଚନା ମିଳିପାରି ନଥିବା କୁହାଯାଇଛି । ବର୍ତ୍ତମାନ ସାରା ଦେଶରେ ପାର୍ବଣ ଉତ୍ସବ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଗାମୀ ଦିନରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ୨୦୨୧ ଫେବୃଆରୀ ସୁଦ୍ଧା ଦୈନିକ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାରଙ୍କ ଅଧିୀନରେ କାର୍ଯ୍ୟ କରୁଥିବା ଏକ ବିଶେଷଜ୍ଞ ଦଳ ଆକଳନ କରିଛି । ତେବେ ଏହି ସମୟ ସୁଦ୍ଧା ଟିକା ଉପଲବ୍ଧ ହେବାର ମଧ୍ୟ ସମ୍ଭାବନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ସର୍ବବୃହତ ଟିକା ପ୍ରସ୍ତୁତକାରୀ କମ୍ପାନୀ ତଥା ପୁନେସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅ।।ଦାର ପୁନାୱାଲା ଭାରତରେ ଟିକାକରଣ ଏବଂ ଏଥିନେଇ ହେବାକୁ ଥିବା ଖର୍ଚ୍ଚ ବାବଦରେ କିଛି ଦିନ ପୂର୍ବରୁ ପ୍ରଶ୍ନ କରିଥିଲେ । ହିମାଳୟ ଠାରୁ ଆଣ୍ଡାମାନ ଦ୍ୱୀପ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଟିକା ଉପଲବ୍ଧ କରିବାକୁ ହେଲେ ପ୍ରାୟ ୮୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି ଏବଂ ଏଥିନେଇ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ । ସେତେବେଳେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ କରାଯାଇନଥିବା ବେଳେ ଟିକା ଆସିବା ପରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହାକୁ ଉପଲବ୍ଧ କରାଯିବ ବୋଲି ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ କହିଥିଲେ ।