ୟୁରୋପୀୟ ସଂସଦରେ ଭାରତକୁ ସମର୍ଥନ

ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିଭିନ୍ନ ରାଷ୍ଟ୍ରରୁ ସମର୍ଥନ ମିଳୁଛି। ଏହି ଉଚ୍ଛେଦ ମାମଲା ୟୁରୋପୀୟ ସଂସଦରେ ମଧ୍ୟ ଆଲୋଚନା ହୋଇଛି। ୟୁରୋପରୁ ପ୍ରକାଶିତ ସମ୍ବାଦପତ୍ରରେ ପ୍ରକାଶିତ ଖବରରୁ ଜଣାଯାଇଛିଯେ ସାଂସଦ ଟମ୍ସ ଜେକୋୱସ୍କି ଧାରା ୩୭୦ ଉଚ୍ଛେଦକୁ ଭାରତର ଆଭ୍ୟନ୍ତରୀଣ ମାମଲା ଦର୍ଶାଇଛନ୍ତି। କଶ୍ମୀରକୁ ଆତଙ୍କୀମୁକ୍ତ କରିବା ଏହି ଉଚ୍ଛେଦ ସହଜ ହେବ ବୋଲି କହିଥିଲେ। କିଛି ଆତଙ୍କୀ କଶ୍ମୀର ଉପତ୍ୟକା ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ବୋଲି ସେ କହିଛନ୍ତି। ବିଶେଷ କରି ଜମ୍ମୁ-କଶ୍ମୀରରେ ସକ୍ରିୟ ରାଜନୈତିକ ଦଳର ନେତା ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରୁଛନ୍ତି। ବିଗତ ଦିନରେ ଆତଙ୍କୀମାନେ ୬ ଜଣ ରାଜନେତା ଓ ଜଣେ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିଥିଲେ। ରାଜନେତାଙ୍କୁ ନିର୍ବାଚନରେ ଭାଗ ନନେବା ପାଇଁ ପାକ୍ ଅଧିକୃତ କଶ୍ମୀରରେ ସକ୍ରିୟ ଆତଙ୍କୀ ସଂଗଠନ ଧମକ ଦେଇଥିଲା। ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ ୧୯୯୦ରୁ ଆଜି ପର୍ଯ୍ୟନ୍ତ କଶ୍ମୀରରେ ବହୁ ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ପାକ୍ ସମର୍ଥିତ ଲସ୍କର-ଇ-ତୋଏବା, ଜୈଶ-ଇ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଓ ହରକତ୍ ଉଲ-ମୁଜାହିଦ୍ଦିନ୍ ପ୍ରମୁଖ ରହିଛି।