ଇଂଲଣ୍ଡର କ୍ରମାଗତ ତୃତୀୟ ବିଜୟ, ତଳକୁ ଖସିଲା ଅଷ୍ଟ୍ରେଲିଆ

ଦୁବାଇ,ଏଜେନ୍ସି: ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ଇଂଲଣ୍ଡର ଦମଦାର ପ୍ରଦର୍ଶନ ଜାରି ରଖିଛି। ପାକିସ୍ତାନ ପରେ ଦ୍ଵିତୀୟ ଦଳ ଭାବେ ବିଶ୍ଵ କପ୍‌ରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଆଜି ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ଜୋସ୍ ବଟଲରଙ୍କ ବିସ୍ଫୋରକ ୭୧ ରନ ଏବଂ ବୋଲରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆରୋନ ଫିଞ୍ଚ୍‌ଙ୍କ ୪୪ ରନ ବଳରେ ୧୨୫ ରନରେ ଅଲଆଉଟ୍ ହୋଇଥିଲା।

ଜବାବରେ ଇଂଲଣ୍ଡ ଜୋସ୍ ବଟଲରଙ୍କ ଅପରାଜିତ ବିସ୍ଫୋରକ ୭୧ ରନ(୩୨ ବଲ, ୫ ଚୌକା, ୫ ଛକା) ବଳରେ ମାତ୍ର ୧୧.୪ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଜୋନି ବେୟାରଷ୍ଟୋ ୧୬ ରନ କରି ଅପରାଜିତ ଥିଲେ। ଏହି ବିଜୟ ସହ ଇଂଲଣ୍ଡ ପ୍ରାୟତଃ ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛି। ଏହି ପରାଜୟ ସହିତ ଅଷ୍ଟ୍ରେଲିଆ ଗ୍ରୁପ ଏର ପଏଣ୍ଟ ତାଲିକାରେ ତୃତୀୟକୁ ଖସି ଆସିଛି। ଅଷ୍ଟ୍ରେଲିଆ ଇନିଂସରେ ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩, କ୍ରିସ୍ ଓ୍ଵକ୍ସ ୨ ଓ ତିମାଲ ମିଲ୍ସ ୨ଟି ଓ୍ଵିକେଟ୍ ନେଇଛନ୍ତି।