କ୍ରାଏଷ୍ଟଚର୍ଚ୍ଚ,ଏଜେନ୍ସି: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ତା’ର ସେମି ଆଶା କାଏମ ରଖିଛି। ଦଳ ଗୁରୁବାର ଏଠାରେ ତା’ର ପାକିସ୍ତାନ ବିପକ୍ଷ ଷଷ୍ଠ ମୁକାବିଲାରେ ୯ ୱିକେଟ୍ର ଏକତରଫା ବିଜୟ ହାସଲ କରିବା ସହ ପଏଣ୍ଟ୍ ଟେବଲ୍ରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଦଳର ପଏଣ୍ଟ୍ (୬) ଭାରତ ସହ ସମାନ ଥିଲେ ହେଁ ଏହାକୁ ଉନ୍ନତ ରନ୍ ରେଟ୍ର ଫାଇଦା ମିଳିଛି। ଟସ୍ ଜିତି ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ ପାଇଁ ଇଂଲଣ୍ଡ ଆମନ୍ତ୍ରଣ କରିଥିଲା। ପାକିସ୍ଥାନ କ୍ରମାଗତ ୱିକେଟ୍ମାନ ହରାଇ ଚାଲିବା ଫଳରେ ୪୧.୩ ଓଭର୍ରେ ମାତ୍ର ୧୦୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୯.୨ ଓଭର୍ରେ ୧୦୭ ରନ୍ କରି ସହଜ ବିଜୟ ହାସଲ କରିଥିଲା। ଅପରାଜିତ ୭୬ ରନ୍ କରିଥିବା ଓପନର ଡାନିଏଲ୍ ୱାଟ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି।
ପାକିସ୍ଥାନୀ ଓପନର ନାହିଦା ଖାନ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ଶେଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା। ଦଳ ପକ୍ଷରୁ କେବଳ ୩ ଜଣ ବ୍ୟାଟ୍ସ୍ ମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ। ଅନ୍ୟତମ ଓପନର ସିଦ୍ରା ଆମୀନ୍ ୪ଟି ଚୌକା ସହ ସର୍ବାଧିକ ୩୨ ରନ୍ କରିଥିବା ବେଳେ ସିଦ୍ରା ନୱାଜ୍ ଗୋଟିଏ ଚୌକା ମାଧ୍ୟମରେ ୨୩ ଏବଂ ଓମୈମା ସୋହୋଲ୍ ଗୋଟିଏ ଚୌକା ସହ ୧୧ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ୟାଥେରିନ୍ ବ୍ରଣ୍ଟ୍ ଓ ସୋଫି ଏକ୍ଲେଷ୍ଟୋନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ କେଟ୍ କ୍ରସ୍ ଓ ଅଧିନାୟିକା ହିଦର୍ ନାଇଟ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ବ୍ୟାଟିଂରେ ଇଂଲଣ୍ଡ ଓପନର ଟାମି ବିଉମଣ୍ଟ୍ଙ୍କୁ ଦଳୀୟ ସ୍କୋର୍ ୨୦ ଥିବା ସମୟରେ ହରାଇଥିଲା। ସେ ମାତ୍ର ୨ ରନ୍ କରିଥିଲେ। କିନ୍ତୁ ଏହାପରେ ୱାଟ୍ ଓ ଅଧିନାୟିକା ନାଇଟ୍ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଉଭୟ ଦ୍ୱିତୀୟ ୱିକେଟ୍ରେ ଅବିଭାଜିତ ୮୭ ରନ୍ ଯୋଡ଼ିଥିଲେ।
ୱାଟ୍ ୧୧ଟି ଚୌକା ସହ ୭୬ ରନ୍ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ନାଇଟ୍ ୨୪ ରନ୍ର ଯୋଗଦାନ ଦେଇଥିଲେ। ପାକିସ୍ତାନ ପକ୍ଷରୁ ଏକମାତ୍ର ୱିକେଟ୍ଟି ଡାଏନା ବେଗ୍ ନେଇଥିଲେ। ପ୍ରତିଯୋଗିତାରେ ଶୁକ୍ରବାର ବାଂଲାଦେଶ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱେଲିଂଟନ୍ଠାରେ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ।