ଇଂଲଣ୍ଡ ବିପକ୍ଷ ୨ଟି ଟେଷ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ମୁମ୍ବାଇ,ଏଜେନ୍ସି: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍ ବିଜୟ ପରେ ମଙ୍ଗଳବାର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ନୂଆ ଚୟନ କମିଟି ଚେନ୍ନାଇରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି। ନିୟମିତ ଅଧିନାୟକ ବିରାଟ କୋହଲି, ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ୧୮ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ପ୍ରଥମ ସନ୍ତାନ ଜନ୍ମ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ୩ଟି ଟେଷ୍ଟ ଖେଳିପାରିନଥିବା କୋହଲି ଦଳର ନେତୃତ୍ୱ ନେବେ।

ଦିଲ୍ଲୀ ପକ୍ଷରୁ ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ରେ ଖେଳି ନିଜର ଫିଟ୍‌ନେସ ସାବ୍ୟସ୍ତ କରିଥିବା ଇଶାନ୍ତଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଗତବର୍ଷ ଫେବୃଆରୀରୁ ଟେଷ୍ଟ ମ୍ୟାଚ୍ ଖେଳିନଥିବା ଇଶାନ୍ତ ଆଇପିଏଲ୍ ଅବସରରେ ଆହତ ହେବାରୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଥିଲେ। ଇଶାନ୍ତ ଆଉ ୩ଟି ଟେଷ୍ଟ ଖେଳିଲେ କପିଳ ଦେବଙ୍କ ପରେ ୧୦୦ ଟେଷ୍ଟ ମ୍ୟାଚ୍ ଖେଳିଥିବା ଦ୍ୱିତୀୟ ଭାରତୀୟ ଫାଷ୍ଟ ବୋଲର୍ ହେବେ। ସେହିପରି ୨୦୧୮ ଇଂଲଣ୍ଡ ଗସ୍ତ ପରେ ହାର୍ଦ୍ଦିକ ପ୍ରଥମଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ଯଶ୍‌ପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ୍ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆରେ ସେମାନଙ୍କ ଚମତ୍କାର ପ୍ରଦର୍ଶନର ପୁରସ୍କାର ସ୍ୱରୂପ ଦଳରେ ବଜାୟ ରଖାଯାଇଛି। ତେବେ ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିଥିବା ଟି ନଟରାଜନଙ୍କୁ ବାଦ୍ ଦିଆଯାଇଛି। ସିରାଜ୍ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଟେଷ୍ଟରେ ୧୩ଟି ୱିକେଟ୍ ହାସଲ କରିଥିଲେ, ଯାହା ଭାରତ ପକ୍ଷରୁ ସର୍ବାଧିକ ଥିଲା। ସେହିପରି ୭ଟି ୱିକେଟ୍ ସହ ବ୍ରିସବେନ୍ ଟେଷ୍ଟରେ ଶାର୍ଦ୍ଦୁଲ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ୟାକ୍ ଇନ୍‌ଜ୍ୟୁରୀ ସତ୍ତ୍ୱେ ଅଶ୍ୱିନଙ୍କ ଉପରେ ସ୍ପିନ୍ ବିଭାଗ ନେତୃତ୍ୱ ନ୍ୟସ୍ତ ହୋଇଛି। ୱାଶିଂଟନ୍ ସୁନ୍ଦର ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର୍ ସିରିଜ୍‌ରେ ଗୋଟିଏ ମ୍ୟାଚ୍ ଖେଳିଥିବା କୁଲଦୀପ ଯାଦବ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ବ୍ରିସବେନ୍ ଟେଷ୍ଟରେ ସୁନ୍ଦର ରୋମାଞ୍ଚକର ପଦାର୍ପଣ କରି ଉଭୟ ବ୍ୟାଟ୍ ଓ ବଲ୍‌ରେ କମାଲ କରିଥିଲେ। ଏହି ମ୍ୟାଚ୍‌ରେ ସେ ୬୨ ଓ ୨୨ ରନ୍ କରିଥିବାବେଳେ ୪ଟି ୱିକେଟ୍ ନେଇଥିଲେ। ସେହିପରି ଟେଷ୍ଟ ମ୍ୟାଚ୍ ଖେଳିନଥିବା ବାମହାତୀ ସ୍ପିନ୍ ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି।

ଶୁଭମନ ଗିଲ୍ ଓ ରୋହିତ ଶର୍ମା ଓପ୍ନର୍ ଭାବେ ଦଳରେ ସାମିଲ ହୋଇଥିବା ବେଳେ ମୟଙ୍କ ଅଗରୱାଲ୍ ୩ୟ ଓପ୍ନର୍ ଭାବେ ରଖାଯାଇଛି। ତେବେ ପୃଥ୍ୱୀ ଶ’ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଆଡିଲେଡ୍ ଦିବା-ରାତ୍ର ଟେଷ୍ଟ ଖେଳିଥିବା ଶ’ ବାକି ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ। ଫେବୃଆରୀ ୫ ତାରିଖରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ କେଏଲ୍ ରାହୁଲଙ୍କ ନାମ ନଥିବା ବେଳେ ୨ୟ ଟେଷ୍ଟରେ ସେ ସାମିଲ ହେବେ। ରିଷ୍ଟ୍ ଇନ୍‌ଜ୍ୟୁରୀ ଯୋଗୁଁ ଟେଷ୍ଟ ସିରିଜ୍ ଅଧାରୁ ସେ ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଥିଲେ। ଏବେ ସେ ବେଙ୍ଗାଲୁରୁସ୍ଥିତି ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲିଟେସନରେ ଅଛନ୍ତି।

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ରୋହିତ ଶର୍ମା, ଶୁଭମନ ଗିଲ୍, ମୟଙ୍କ ଅଗରୱାଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ୍, ଋଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ୍ ରାହୁଲ (୨ୟ ଟେଷ୍ଟ ପାଇଁ), ଯଶ୍‌ପ୍ରୀତ୍ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ୍, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ୍ ଅଶ୍ୱିନ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍।
କେଏସ୍ ଭାରତ (ୱିକେଟ୍କିପର୍), ଅଭିମନ୍ୟୁ ଈଶ୍ୱରନ୍, ଶାହାବାଜ୍ ନଦୀମ, ରାହୁଲ ଚହର।