ଆଜିଠୁ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ; ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ 

ଓଭାଲ,ଏଜେନ୍ସି: ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍। ନୂଆ ପରିବେଶ, ନୂଆ ନିୟମରେ କରୋନା ମହାମାରୀ ପରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରେ ଶେଷଥର ଲାଗି ଅନ୍ତର୍ଜାତୀୟ କ୍ରିକେଟ ଖେଳାଯାଇଥିଲା।

ପାଖାପାଖି ୩ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣିଥରେ ଫେରିଥିବାରୁ ସମର୍ଥକ ଓ ଦର୍ଶକଙ୍କ ମହଲରେ ଆନନ୍ଦ ସୃଷ୍ଟି ହେବା ସ୍ୱାଭାବିକ। ଏହି ମ୍ୟାଚ୍ ଉପରେ ରହିଛି ବିଶ୍ୱର ନଜର। କେବଳ ଖେଳ ନୁହେଁ କରୋନା ପରେ ବିନା ଦର୍ଶକ, ବିନା ସାଲିଭା ଓ କମ୍ ସେଲିବ୍ରେସନରେ ଏହି ମ୍ୟାଚ୍ କିପରି ଆୟୋଜିତ ହେବ ତାହା ଦେଖିବାକୁ କ୍ରିକେଟ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଏହି ଟେଷ୍ଟ ମୁକାବିଲା ଲାଗି ଗତ ଏକ ମାସ ହେଲା ୱେଷ୍ଟଇଣ୍ଡିଜ୍ ଟିମ୍ ଇଂଲଣ୍ଡରେ ଅବସ୍ଥାନ କରୁଛି। ପ୍ରଥମେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ଓ ପରେ ଅଭ୍ୟାସ ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜ୍ ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ ଲାଗି ପ୍ରସ୍ତୁତ ହୋଇଛି। ଇଂଲଣ୍ଡ ଦଳ ମଧ୍ୟ ନିଜ ନିଜ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳି ଏହି ଲଢେଇରେ ଅବତୀର୍ଣ୍ଣ ହୋଇଛି। ଏଭଳି ସମୟରେ କ୍ରିକେଟ ଲଢେଇ ଅପେକ୍ଷା ଏହି ଖେଳ ପରିବର୍ତ୍ତିତ ପରିସ୍ଥିତିରେ କିପରି ଖେଳାଯିବ ତାହା ଉପରେ ବିଶ୍ୱବାସୀଙ୍କ ନଜର ରହିଛି।