- ବାରିପଦା: ଆନ୍ତଃରାଜ୍ୟ ବାଘ ଛାଲ ରାକେଟରେ ଇଞ୍ଜିନିୟରିଂ ଛାତ୍ର। ବିକ୍ରି ପାଇଁ ମସୁଧାବେଳେ ବନ ବିଭାଗ ହାତରେ ବନ୍ଧା ହେଲେ। ଆଜି ବାରିପଦାସ୍ଥିତ ହୋଟେଲ୍ ଦିବ୍ୟା ପ୍ୟାଲେସରୁ ବାରିପଦା ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏହି ରାକେଟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ସାହି ଥାନା ଉଠାଣିନୁଆଗାଁ ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକାର(୨୬) ଏବଂ ଖୁଣ୍ଟା ଥାନା ଡୁକୁରା ଫାଣ୍ଡି ଅନ୍ତର୍ଗତ ପଳାଶବଣି ଅଞ୍ଚଳର ବିକାଶ ବିନୟ ସିଂ। ଅଭିଯୁକ୍ତଙ୍କ ମଧ୍ୟରୁ ବିକାଶ ବେଣ୍ଟକାର ଜଣେ କାଠ ମିସ୍ତ୍ରି ଭାବେ କାର୍ଯ୍ୟ କରନ୍ତି। ମାତ୍ର ବିକାଶ ବିନୟ ସିଂ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ଇଞ୍ଜିନିୟରିଂ ପାଠ ସାରି ବିନୟ ସହଜ ରୋଜଗାର ପାଇଁ ଏହି ରାକେଟରେ କାମ କରୁଥିବା ଜଣାପଡ଼ିଛି।
- ଏହି ଘଟଣାରେ ଆଉ ଜଣେ ଫେରାର ଥିବା ଜଣାପଡ଼ିଛି। ଜବତ କଲରାପତରିଆ ବାଘ ଛାଲର ଲମ୍ବ ୨୮ ଇଞ୍ଚ୍ ହୋଇଥିବାବେଳେ ଚଉଡ଼ା ୯ ଇଞ୍ଚ୍ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଚମଡ଼ାଟି ପ୍ରାୟ ୮-୯ ମାସ ପୁରୁଣା ବୋଲି ଅନୁମାନ କରାଯାଉଛି। ତେବେ କେଉଁ ଜଙ୍ଗଲରୁ ଏହି କଲରାପତରିଆ ବାଘକୁ ଶିକାର କରାଯାଉଛି ତାହା ତଦନ୍ତାଧୀନ ଥିବା ବାରିପଦା ଡିଏଫଓ ସନ୍ତୋଷ କୁମାର ଯୋଶୀ ପ୍ରକାଶ କରିଛନ୍ତି। ସେହିପରି ଏହି ଘଟଣାରେ ଆଉ କିଏ ସଂପୃକ୍ତ ସେନେଇ ମଧ୍ୟ ତଦନ୍ତ ଚାଲିଛି। ଏହି ରାକେଟ ଉପରେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ (ଡବ୍ଲ୍ୟୁସିସିବି) ସତର୍କ ଦୃଷ୍ଟି ରଖିଥିଲା। ସେହିପରି ରାଜ୍ୟ ଏସଟିଏଫର ଅଧିକାରୀମାନେ ମଧ୍ୟ ଏହା ଉପରେ ନଜର ରଖିଥିଲେ। ଆଜି ଏହି ଚଢ଼ଉବେଳେ ଉଭୟ ବିଭାଗରୁ ଅଧିକାରୀ ଉପସ୍ଥିତ ଥିବା ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କିଛିଦିନର ବ୍ୟବଧାନ ପରେ ବାରିପଦାରୁ ପୁଣି ଥରେ ବାଘ ଛାଲ ଜବତ ହେବା ଘଟଣା ଏହା ପ୍ରମାଣ କରୁଛି ଯେ ଜିଲ୍ଲାରେ ଏବେ ମଧ୍ୟ ଏହି କ୍ଷେତ୍ରରେ କାମ କରୁଥିବା ରାକେଟ୍ ସକ୍ରିୟ ଅଛନ୍ତି। ଆଉ ହୋଟେଲ୍ ଦିବ୍ୟା ପ୍ୟାଲେସ୍ ଭଳି ସ୍ଥାନରେ ଏହି କାମକୁ ସହଜରେ କରି ପାର ପାଇଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖିବାକୁ ଦାବି ହୋଇଛି। ତେବେ ବନ୍ୟପ୍ରାଣୀ ବିଶେଷଞ୍ଜମାନେ ଏହି ଚମଡ଼ାକୁ କଲରାପତରିଆ ବାଘ ନୁହେଁ ବରଂ କଲରାପତରିଆ ବିରାଡ଼ି ବୋଲି କହିଛନ୍ତି। ଏହାକୁ ପରୀକ୍ଷାଗାରକୁ ପଠାଇ ସବିଶେଷ ତଦନ୍ତ କରିବାକୁ ଦାବି ହୋଇଛି।