ଇଞ୍ଜିନିୟରରୁ ପକ୍ଷୀ ବିଶାରଦ ଗିରିଜା

(ବିମଳ କୃଷ୍ଣ ଥମ୍ବ)ଢେଙ୍କାନାଳ,ଏନ୍ଏନ୍ଏସ୍: ସବୁବେଳେ କିଚିରି ମିଚିରି ଶଦ୍ଦ। ଏହି ଶବ୍ଦ ଭିତରେ ରହିଛି ଏକ ଅହେତୁକ ଆକର୍ଷଣ। ଅଶାନ୍ତ ମନକୁ ଶାନ୍ତ କରିଦେବା ପାଇଁ ତାହା ହିଁ ଯଥେଷ୍ଟ। ସେମାନଙ୍କର ପ୍ରତିଟି ରାବରେ ଭରି ରହିଛି ସଙ୍ଗୀତର ମୂର୍ଚ୍ଛନା। ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀମାନଙ୍କର କଳରବରେ ମନରେ ଭରିଦିଏ ନୂତନ ଭାବନା। ଏହି ପକ୍ଷୀମାନଙ୍କ ପାଖରେ ଦିନକୁ ୧୮ ଘଣ୍ଟା ସମୟ ବିତାଉଥିବା ମଣିଷଟି ହେଉଛନ୍ତି ଇଂ ଗିରିଜା ପ୍ରସାଦ ମିଶ୍ର। ମୁମ୍ବାଇର ଏକ ନାମୀଦାମୀ କମ୍ପାନୀରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ଚାକିରିର ମୋହ ଛାଡ଼ି ପ୍ରକୃତିର ଅମୂଲ୍ୟ ଅବଦାନ ଶାନ୍ତିର ବାହକ ପକ୍ଷୀମାନଙ୍କ ପ୍ରେମରେ ପଡ଼ିଗଲେ। ଶେଷରେ ମୋଟା ଅଙ୍କର ଦରମା ପାଉଥିବା ଚାକିରି ଓ ସହରର ଚାକଚକ୍ୟ ପରିବେଶକୁ ତ୍ୟାଗ କରି ଫେରି ଆସିଲେ ନିଜ ଗ୍ରାମକୁ। ଇଂ ଗିରିଜା ସେଠାରେ ଏକ ପକ୍ଷୀ ବିହାର କରି ନିଜର ଜୀବନକୁ ମନ ଭରି ଉପଭୋଗ କରୁଛନ୍ତି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ରମାକାନ୍ତ ମିଶ୍ର ଓ ପୁଷ୍ପାରାଣୀ ମିଶ୍ରଙ୍କ ୩ୟ ପୁତ୍ର ହେଉଛନ୍ତି ଗିରିଜା। ପିଲାଦିନରୁ ପ୍ରକୃତିକୁ ଭଲ ପାଇବା, ବିଭିନ୍ନ ପଶୁପକ୍ଷୀଙ୍କ ଗହଣରେ ସମୟ କଟାଇବାକୁ ଭଲ ପାଉଥିବା ଗିରିଜା ମେକାନିକାଲରେ ଇଞ୍ଜିନିୟରିଂ କରି ମୁମ୍ବାଇର ଉରନ୍ଠାରେ ଓଏନଜିସିର ସିପେମଟ୍ରିନ୍ ଏନର୍ଜୀ ପ୍ରାଇଭେଟ ଲିମିଟେଡରେ ସିନିୟର ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ୫ ବର୍ଷ ଚାକିରି କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ସେଥିରେ ତାଙ୍କ ମନ ଯେପରି ବିଚଳିତ ଥିଲା। ସତେ ଯେପରି ପ୍ରତି ମୁହୂର୍ତ୍ତରେ ଅଣନିଶ୍ୱାସୀ ଅନୁଭବ କରୁଥିଲେ। ହଠାତ ତାଙ୍କର ଏକ ନିଷ୍ପତ୍ତି କେବଳ ନିଜ ପରିବାର ନୁହଁ ସାଙ୍ଗ ସାଥିମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ନିଜ ଜନ୍ମ ମାଟିକୁ ଫେରି ଆସି ମାତ୍ର ୬୦ ହଜାର ଟଙ୍କାରେ କିଛି ବିଦେଶୀ ପକ୍ଷୀ କିଣି ତାଙ୍କ ସହ ଜୀବନ କଟାଇବାକୁ ସେତେବେଳେ ଅନେକଙ୍କୁ ବିସ୍ମିତ କରିଥିଲା। ଧୀରେ ଧୀରେ ନିଜର ଘରେ ଏକ ପକ୍ଷୀ ବିହାର କରିବାର ନିଷ୍ପତ୍ତି ନେଇ ଆରମ୍ଭ କରିଥିଲେ ତାଙ୍କର ସାଧନା। ପକ୍ଷୀ ସମ୍ପର୍କୀୟ ବିଭିନ୍ନ ପୁସ୍ତକଠାରୁ ଆରମ୍ଭ କରି ନେଟ୍ ମାଧ୍ୟମରେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ। ଫଳରେ ମାତ୍ର ଦୁଇ ବର୍ଷ ମଧ୍ୟରେ ୬୦ ହଜାର ଟଙ୍କାରୁ ଆରମ୍ଭ କରିଥିବା ଏହି ପକ୍ଷୀବିହାର ଏବେ ୨୦ ଲକ୍ଷ ଟଙ୍କା ଉପରେ ହେବ। ସବୁଠାରୁ ବଡ଼ କଥା ହେଲା ସେ ଏହି ପକ୍ଷୀ ବିହାରରେ ଖାଲି ପକ୍ଷୀ କିଣି ରଖନ୍ତି ନାହିଁ ବରଂ ବ୍ରିଡିଂ କରି ନୂଆ ନୂଆ ରଙ୍ଗର ପକ୍ଷୀ ସୃଷ୍ଟି କରିଥାଆନ୍ତି। ସବୁଠାରୁ ବିସ୍ମୟ ଓ ଆଶ୍ଚର୍ଯ୍ୟର କଥା ହେଉଛି ନନ୍ଦନକାନନରେ ବହୁ ବିଶେଷଜ୍ଞ ଥିଲେ ମଧ୍ୟ ୧୯୮୫ ମସିହାରୁ ‘ମାକାଓ’ ନାମକ ପକ୍ଷୀ ଏ ପର୍ଯ୍ୟନ୍ତ ଅଣ୍ଡା ଦେଇ ନ ଥିବା ବେଳେ ମାତ୍ର ୧ ବର୍ଷ ମଧ୍ୟରେ ନିଜର ଅଧ୍ୟବସାୟ, ନିଷ୍ଠା ଓ ନିଜସ୍ୱ ସୃଜନଶୀଳତାରେ ‘ମାକାଓ’ ଭଳି ବିରଳ ଓ ଦୁର୍ମୂଲ୍ୟ ପକ୍ଷୀଠାରୁ ଅଣ୍ଡା ଓ ପରେ ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ଛୁଆ ଫୁଟାଇବାରେ ସକ୍ଷମ ହେବା ଓଡିଶା ଇତିହାସରେ ଏକ ବିରଳ ଘଟଣା ଅଟେ। ତାଙ୍କ ପାଖରେ ବ୍ଲ୍ୟୁ ଆଣ୍ଡ ଗୋଲ୍ଡ ମାକାଓ, ୟେଲୋ କଲାର୍ଡ ମାକାଓ, ହାନ୍ସ ମାକାଓ, ଭାଉଲେଟ ନେକେଡ ଲରୀ, ଅର୍ଣ୍ଣେଟ ଲରୀ, ରେନବୋ ଲରି, ସନ କନ୍ୟୁୟର, ଜେଣ୍ଡିଆ କନ୍ୟୁୟର, ପାଟାଗୋନିଆନ କନ୍ୟୁୟର, ପାଇନାପୁଲ କନ୍ୟୁୟର, ୟୋଲୋ ସାଇଡେଡ କନ୍ୟୁୟର, ବ୍ଳ୍ୟୁ ଗ୍ରୀନ ଚିକ୍ କନ୍ୟୁୟର, ସିନାମନ କନ୍ୟୁୟର ଭଳି ଅନେକ ନାମୀଦାମୀ ପକ୍ଷୀ ରଖି ସେମାନଙ୍କୁ ବ୍ରିଡିଂ କରି ଅଦ୍ଭୁତ ରଙ୍ଗର ପକ୍ଷୀ ସୃଷ୍ଟି କରିପାରିଛନ୍ତି। ଅନେକ ଦୂର ଦୂରାନ୍ତରୁ ବହୁ ପକ୍ଷୀ ବିଶାରଦ, ପକ୍ଷୀ ପ୍ରେମୀ ଓ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ ନିକଟକୁ ଆସି ଏ ପକ୍ଷୀ ବିହାର ଦେଖି କିଛି ସମୟ ପାଇଁ ବିହ୍ୱଳିତ ହେଉଛନ୍ତି। ପକ୍ଷୀମାନଙ୍କ ପ୍ରତି ଭଲପାଇବା ସୃଷ୍ଟି କରି ବିରଜା ଏକ ଅନନ୍ୟ ଉଦାହାରଣ ପାଲଟିଛନ୍ତି। ଅବଶ୍ୟ ଗିରିଜାଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିଛି। ଏ ନେଇ ଗିରିଜାଙ୍କୁ ପଚାରିବାରେ ସେ ବର୍ତ୍ତମାନ ପରିସ୍ଥିତିରେ ପ୍ରାଚୁର୍ଯ୍ୟ ଭିତରେ ବୁଡି ରହିଥିବା ବ୍ୟସ୍ତବହୁଳ ମଣିଷ ପାଖରେ ସମୟ ନ ଥିବା ବେଳେ ଦିନକୁ ଦିନ ଏହି ପକ୍ଷୀମାନଙ୍କର ବଂଶ ଲୋପ ପାଇବାକୁ ବସିଛି। ସେମାନଙ୍କ ଉପରେ କାହାର ନଜର ନାହିଁ। ଏହି ବିରଳ ପ୍ରଜାତି ପକ୍ଷୀ ବିଶ୍ୱରୁ ଲୋପ ପାଇଯିବାକୁ ବସିଥିବା ବେଳେ ଗିରିଜା ପ୍ରକୃତି ଓ ପକ୍ଷୀମାନଙ୍କ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।