ଶେଷ ହେଲା ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ‘ଚଇତି’

ପଲ୍ଲିଶ୍ରୀ ମେଳାରେ ୪ କୋଟି ୫ଶହ ଲକ୍ଷ ଟଙ୍କାର ବ୍ୟବସାୟ

ରାୟଗଡ଼ା,ଏନ୍ଏନ୍ଏସ୍: ଶୀତଋତୁର ଆଗମନରେ ପ୍ରକୃତିରାଣୀ ଯେତେବେଳେ ବିଭିନ୍ନ ରଙ୍ଗ ଓ ସୁବାସିତ ଫୁଲରେ ସଜେଇ ହୁଏ ସେତିକି ବେଳେ ଆୟୋଜିତ ହୁଏ ରାୟଗଡ଼ାର ଜିଲ୍ଲା ମହୋତ୍ସବ “ଚଇତି”। ତେବେ ଏହି ମହୋତ୍ସବ ୫ ଦିନ ଧରି ଅନୁଷ୍ଠିତ ହେବାପରେ ଗୁରୁବାର ଶେଷ ହୋଇଯାଇଛି। ଏହି ମହୋତ୍ସବରେ ରାୟଗଡ଼ାର ଆରାଧ୍ୟ ଦେବୀ ମା’ ମଝିଘରିଆଣୀଙ୍କ ଆବାହନ ହେବା ସହ ଶିକ୍ଷା, କ୍ରୀଡ଼ା, ଝୋଟି, ନାଚ-ଗୀତ, ବକୃତା, ଗଣଦୌଡ଼ ସହିତ ସ୍ଥାନୀୟ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କୁ ପ୍ରୋତ୍ସାହନ କରାଯାଇଥାଏ।

“ଚଇତି ମହୋତ୍ସବର ରଙ୍ଗ ମଞ୍ଚ”ରେ ପ୍ରତିଭାମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି। ଏଥିସହ ପଲ୍ଳିଶ୍ରୀ ମେଳା ମଧ୍ୟ ଏଠାକାର ମୁଖ୍ୟ ଆକର୍ଷଣ ହୋଇଥାଏ। ଚଳିିତ ବର୍ଷ ମଧ୍ୟ ୫ଦିନ ଧରି ଚଇତି ପର୍ବକୁ ମଉଜ ମଜଲିସରେ ପାଳନ କରିବା ସହିତ ପଲ୍ଲିଶ୍ରୀ ମେଳାର ଆନନ୍ଦ ଉଠାଇଛନ୍ତି ଲୋକମାନେ।
ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟର ବାର୍ତ୍ତା ବହନ କରୁଥିବା ସାଂସ୍କୃତିକ ମହୋତ୍ସବ ଡିସେମ୍ବର ୨୬ତାରିଖରୁ ୩୦ତାରିଖ ୫ଦିନ ଧରି ଚାଲିଥିବା ବେଳେ ସ୍ଥାନୀୟ ଜିସିଡି ପଡ଼ିଆରେ ଆୟୋଜିତ ଚଇତି ମଞ୍ଚରେ ଜିଲ୍ଳା ଆଦିବାସୀଙ୍କ କୁଟିଆ କନ୍ଧ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଡଙ୍ଗରିଆ କନ୍ଧ ନୃତ୍ୟ, ପରଜା ନୃତ୍ୟ, କୋୟା ନୃତ୍ୟ, ଗଦବା ନୃତ୍ୟ, ଢେମସା ନୃତ୍ୟ ସମେତ ଓଡ଼ିଶୀ-ଛଉ-ପାଇକ ଆଖଡ଼ା-ଯୋଡ଼ି ଶଙ୍ଖ ନୃତ୍ୟ ସହ ସ୍ଥାନୀୟ କଳାକାର ଓ ଅନ୍ୟ ଜିଲ୍ଳା ବା ପ୍ରଦେଶରୁ ଆସିଥିବା କଳାକାରଙ୍କ ମଧ୍ୟରେ ସଂଗମ ଓ ସମନ୍ୱୟ ସ୍ଥାପନରେ ଚଇତି ମଞ୍ଚ ମୁଖରିତ ହୋଇଉଠିଥିଲା।

ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀ,ସ୍ଥାନୀୟ ଶିଳ୍ପୀ,କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ,କୁଟୀର ଶିଳ୍ପ ସମାଗ୍ରୀର ବିିପଣନ ପାଇଁ ଚଇତି ଓ ପଲ୍ଳିଶ୍ରୀ ମେଳା ଥିଲା ଏକ ପ୍ରକୃଷ୍ଟ ସ୍ଥାନ। ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମନ୍ଦିରରୁ କଳସ ଓ ଆଜ୍ଞାମାଳକୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିବା ବେଳେ ବିରଷ୍ଠ ଅଧିକାରୀଙ୍କ ସମେତ ଜନସାଧାରଣମାନେ ମଶାଲକୁ ନଗର ପରିକ୍ରମା କରାଇ ସ୍ଥାନୀୟ ଚଇତି ମଣ୍ଡପରେ ସ୍ଥାପନା କରିଥିଲେ।


ସେହିପରି ପ୍ରତିବର୍ଷ ପଲ୍ଳିଶ୍ରୀ ମେଳାରେ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଚଳିତ ବର୍ଷ ୫ଦିନରେ ୪କୋଟି ୫୨ଲକ୍ଷ ୨୨ହଜାର ଟଙ୍କାର ବ୍ୟବସାୟ ହୋଇଛି। ଚଇତି ମଞ୍ଚର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଳିଶ୍ରୀ ମେଳା ଏବଂ ପିଲାଙ୍କ ପାଇଁ ବିଜ୍ଞାନ ମେଳା ଓ ପ୍ରତିବର୍ଷର ସ୍ମୃତି ସାଉଁଟିବା ପାଇଁ ଅନୁଷ୍ଠିତ ଫୋଟ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏଥିସହ ଅନ୍ୟ ଜିଲ୍ଳାର ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ସହିତ କୋଲକାତା ଓ ନୂଆଦିଲ୍ଳୀର କଳାକାରମାନେ ନିଜ କଳାନୈପୂଣ୍ୟ ପରିବେଷଣ କରିଥିଲେ।


ସେହିପରି ଅନ୍ୟ ୪ଦିନ ଗୁଡ଼ିକରେ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ହସ୍ତତନ୍ତ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଷମକଟକ ବିଧାୟକ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ମଞ୍ଚରେ ଉପସ୍ଥିତ ରହି ପ୍ରତିଭା ଓ କଳାକାରମାନଙ୍କୁ ଉତ୍ସାହିତ କରିଥିବା ବେଳେ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧିକ୍ଷକ, ପିଡି-ଡିଆରଡିଏ, ଗୁଣପୁର ଓ ରାୟଗଡ଼ା ଉପଖଣ୍ଡର ଉପଜିଲ୍ଳାପାଳ, ପିଏ-ଆଇଟିଡିଏ ସମେତ ସମସ୍ତ ଜିଲ୍ଳାସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।