ସମ୍ବଲପୁରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ବିଟୁ ଗିରଫ୍

ସମ୍ବଲପୁର,୨ା୯/ଏନ୍ଏନ୍ଏସ୍: ସମ୍ବଲପୁର ସିଟି ରେଳଷ୍ଟେସନ୍ ଅଞ୍ଚଳରେ ଆଜି ଭୋର ସାଢ଼େ ୫ଟାରେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏବଂ ଧନୁପାଲି ଥାନା ପୁଲିସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ବିଟୁ ଓରଫ ମହସିନ୍ ଓରଫ ମୋସିମ୍ ଅଖତର୍(୩୨)କୁ ଗିରଫ ହୋଇଛି। ବିଟୁ ଗତ ୮ ବର୍ଷର୍ ହେଲା ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାବେଳେ ତା’ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏନଡିପିଏସ୍ ଆକ୍ଟରେ ୧୫ରୁ ଅଧିକ ମାମଲା ରହିଛି। ଏଥିସହିତ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ମଧ୍ୟ ଏନଡିପିଏସ୍ ଆକ୍ଟରେ ଏକ ମାମଲା ରହିଛି। ପୁଲିସ ଗୁଳି ବିଟୁର ଡାହାଣଗୋଡ଼ ଆଣ୍ଠୁତଳେ ବାଜିଛି। ଆହତ ବିଟୁକୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଏନକାଉଣ୍ଟର୍ରେ ଜଣେ ପୁଲିସ୍ ଏଏସଆଇ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଏସପି କୁଅଁର ବିଶାଲ ସିଂ ସୂଚନା ଦେଇଛନ୍ତି। ଅନ୍ୟପଟେ ପୁଲିସର ଏହି ଏନକାଉଣ୍ଟର ଖବର ପ୍ରଚାରିତ ହେବାପରେ ଛୋଟବଡ଼ ଅପରାଧୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ସାଧାରଣରେ ପୁଲିସର ଏହି ତତ୍ପରତାକୁ ସ୍ୱାଗତ କରାଯାଇଛି।
ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ସମ୍ବଲପୁର ସହର ତଥା ଜିଲ୍ଲାରେ ଅପରାଧ ରୋକିବା ଉଦ୍ଦେଶ୍ୟରେ ଗତକାଲିଠାରୁ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଏବଂ ବିଭିନ୍ନ ଥାନା ପୁଲିସର ଅଭିଯାନ ଚାଲିଥିଲା। ଏଥିରେ ଟାଉନଥାନା ଏବଂ ଧନୁପାଲି ଥାନା ପୁଲିସ ୧୦ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସମ୍ବଲପୁର ସିଟି ରେଳଷ୍ଟସନ ଅଞ୍ଚଳରେ ବିଟୁ ଓ ତା’ର ଅନ୍ୟଜଣେ ସହଯୋଗୀ ଥିବା ନିର୍ଦ୍ଧିଷ୍ଟ ସୂଚନା ପାଇ ପୁଲିସ ଦଳ ସେଠାରେ ପହଞ୍ଚିଥିବା ବେଳେ ପୁଲିସକୁ ଦେଖି ବିଟୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସର ପାଲଟା ଗୁଳି ବିଟୁ ଗୋଡ଼ରେ ବାଜିବାରୁ ସେ ଧରାପଡ଼ିଯାଇଥିଲା। ମାତ୍ର ତା’ର ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଥିଲା। ବିଟୁ ପାଖରୁ ପୁଲିସ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଖୋକା, ଗୋଟିଏ ମୋବାଇଲ ଫୋନ୍ ଓ ୪ ହଜାର ଟଙ୍କା ଜବତ କରିଛି। ଅନ୍ୟପଟେ ବିଟୁର ସହଯୋଗୀକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି ବୋଲି ଅତିରିକ୍ତ ଏସ୍ପି ଶ୍ରୀ ମହାପାତ୍ର କହିଛନ୍ତି।