ଭୋଜି ଖାଇ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ୬ ଅଧିକାରୀ ଏବଂ କର୍ମଚାରୀ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଅଧିକାରୀ ଏବଂ କର୍ମଚାରୀ ମାନେ ଶୁକ୍ରବାର ଭୋଜି ଖାଇ ଛଅ ଜଣ ଅଧିକାରୀ ଏବଂ କର୍ମଚାରୀମାନେ ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ତୁରନ୍ତ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଛି । ତେବେ ଭୋଜିରେ କୌଣସି ନିଶା ଦ୍ରବ୍ୟ ଖାଇଥିବାରୁ ଏପରି ହୋଇଛି ବୋଲି ଜଣାପଡ଼ିଛି ।

ତେବେ ଶୁକ୍ରବାର କେଉଁ କାରଣରୁ ଭୋଜି ହୋଇଥିଲା ଏବଂ ଭୋଜିରେ ନିଶାଦ୍ରବ୍ୟ କିପରି ସେବନ କରାଗଲା ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର ଉପରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଜୁଳି ଉପଭୋକ୍ତା ଏବଂ ବିଭିନ୍ନ ଶିଳ୍ପ ବିଜୁଳି ପାଇଁ ନିର୍ଭର କରୁଥିବା ବେଳେ ଭୋଜିରେ ଏପରି ଅବସ୍ଥା ସୃଷ୍ଟି ହେବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସେମାନଙ୍କ ଅବସ୍ଥା ସୁଧୁରୁଥିବା ଜଣାପଡିଛି। ଏ ସମ୍ବନ୍ଧରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁହଁ ଖୋଲୁନାହାନ୍ତି । କର୍ମଚାରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବାରୁ କେନ୍ଦ୍ରର ବାହାରେ କର୍ମଚାରୀଙ୍କ ଭିଡ଼ ଜମିଛି।