ଏଣିକି ଇଚ୍ଛା ମୁତାବକ ପିଏଫ୍ କାଟିପାରିବେ କର୍ମଚାରୀ

ନୂଆଦିଲ୍ଲୀ: ଅସଂଗଠିତ କ୍ଷେତ୍ରରେ ଚୁକ୍ତି କିମ୍ବା କ୍ଷୁଦ୍ର ଅବଧିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର। ବର୍ତ୍ତମାନ ପରଠାରୁ କର୍ମଚାରୀମାନେ ରାଷ୍ଟ୍ରାୟତ୍ତ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଦ୍ୱାରା ଉପଲବ୍ଧ ହେଉଥିବା ବୀମାର ଲାଭ ପାଇପାରିବେ। ଏହା ଅନ୍ତର୍ଗତ ସରକାର ନୂତନ ସାମାଜିକ ସୁରକ୍ଷା କୋଡ୍ ବିଲ୍ ୨୦୧୯ରେ କର୍ମଚାରୀମାନଙ୍କୁ ନିଜ ଇଚ୍ଛା ମୁତାବକ କମ୍ ପିଏଫ୍ କାଟିବା ନେଇ ସୁବିଧା ଉପଲବ୍ଧ କରିଛନ୍ତି। ଏହି ନୂତନ ବିଲ୍ କୁ କେନ୍ଦ୍ର କ୍ୟାବିନେଟ୍ ତରଫରୁ ମଞ୍ଜୁରୀ ମିଳିଥିବାବେଳେ ଖୁବ୍ଶୀଘ୍ର ଏହାକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ପ୍ରଥମଥର ପାଇଁ ଏଭଳି କର୍ମଚାରୀଙ୍କୁ ଦେଶର ସାମାଜିକ ସୁରକ୍ଷା ଆଇନ ଅଧୀନରେ ଅନ୍ତର୍ଭୁକ୍ତ କରାଯାଉଛି।

କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀମାନଙ୍କୁ ନିଜ ଇଚ୍ଛା ମୁତାବକ କମ୍ ପିଏଫ୍ କାଟିବା ଲାଗି ସୁବିଧା ଉପଲବ୍ଧ କରାଯିବା ଦ୍ୱାରା ସେମାନଙ୍କ ଦରମାରେ ବୃଦ୍ଧି ପରିଲକ୍ଷିତ ହେବ। ଅର୍ଥାତ୍ ଏହି ସୁବିଧାରୁ କର୍ମଚାରୀମାନଙ୍କୁ ମିଳୁଥିବା ଟେକ୍ ହୋମ୍ ସାଲେରିରେ ବୃଦ୍ଧି ହେବ। ଜଣେ କର୍ମଚାରୀଙ୍କୁ ସମସ୍ତ ପ୍ରକାରର ସ୍କିମ୍ ଅନ୍ତର୍ଗତ କଟାକଟି କରାଯିବା ପରେ ମିଳୁଥିବା ଦରମାକୁ ଟେକ୍ ହୋମ୍ ସାଲେରି କୁହାଯାଏ। ମାତ୍ର ନୂତନ ବିଲ୍ ରେ କୁହାଯାଇଛି ଯେ, ନିଯୋକ୍ତା (ଚାକିରି ଦେଉଥିବା କମ୍ପାନୀ)କୁ ନିଜର ୧୨%ର ପୂରା ଅଂଶ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ହେବ। ଏହି ସୁବିଧା ଦ୍ୱାରା ନିଯୋକ୍ତାଙ୍କୁ କୌଣସି ଲାଭ ମିଳିବ ନାହିଁ। ପ୍ରକାଶଯୋଗ୍ୟ, ବର୍ତ୍ତମାନ କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍)ରେ ଉଭୟ କର୍ମଚାରୀ ଏବଂ ନିଯୋକ୍ତାଙ୍କୁ ମୋଟ ଦରମାର ୧୨% ଲେଖାଏଁ ଅଂଶଦାନ କରିବାକୁ ପଡ଼ୁଛି।

ଅପରପକ୍ଷେ ନୂତନ ସୋସିଆଲ୍ ସୁରକ୍ଷା କୋଡ୍ ବିଲ୍ ୨୦୧୯ରେ କେନ୍ଦ୍ର ସରକାର ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଏକ ବଡ଼ଧରଣର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ଏ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ଆଧାର କାର୍ଡ ସହିତ ଏହି ପରିଚୟପତ୍ରକୁ ଲିଙ୍କ୍ କରାଯିବ ଏବଂ ଏହା ଜରିଆରେ କର୍ମଚାରୀମାନଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହାବ୍ୟତୀତ ଏହି କାର୍ଡ ଜରିଆରେ ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ବେଶ୍ ସହଜରେ ସରକାରୀ ସୁବିଧାର ଲାଭ ଉଠାଇପାରିବେ ବୋଲି ଉଲ୍ଲେଖ କରାଯାଇଛି।