ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ଗୁଣପୁର ସହରଠାରୁ ମାତ୍ର ୨ କିମି ଦୂର ଭାରସିଂରେ ୬ଜଣିଆ ହାତୀପଲ ଚଳପ୍ରଳଚ କରୁଛନ୍ତି । ଏହି ଖବର ପ୍ରଚାର ହେବା ପରେ ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ଆଜି ଦିନ ତମାମ ସ୍ଥାନୀୟ ବନ ବିଭାଗ ଅଧିକାରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ହାତୀପଲର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛନ୍ତି । ଉକ୍ତ ହାତୀପଲ ସହର ନିକଟସ୍ଥ ବାଗସଲ ପଞ୍ଚାୟତ ଭର୍ଶିଂ ଗ୍ରାମ ନିକଟରେ ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ଚାଷ ଜମିଗୁଡ଼ିକରେ ଧାନ ଫସଲ, କାଜୁ ତୋଟା ଓ ଆଖୁ ବାଡ଼ ବେଉଷଣ କାର୍ଯ୍ୟ ସରିଥିବାବେଳେ ଏହି ହାତୀପଲ କିଛି ସ୍ଥାନରେ ଫସଲ ନଷ୍ଟ କରିଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଯଦି ହାତୀପଲ ସହର ଭିତରକୁ ପଶି ଆସନ୍ତି ତେବେ ଉପଦ୍ରବ କରିବା ନେଇ ସହରବାସୀ ଚିନ୍ତିତ ରହିଛନ୍ତି । ଏହି ହାତୀପଲ ପ୍ରାୟ ବର୍ଷେ ହେବ ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଚଳପ୍ରଚଳ କରିବା ସହିତ ଫସଲ ଓ ଘର ନଷ୍ଟ କରୁଥିଲେ ହେଁ ହାତୀଗୁଡ଼ିକୁ ଘଉଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ହାତୀପଲକୁ ଘଉଡ଼ାଇବା ପାଇଁ କେବଳ ବନ ବିଭାଗକୁ ନାକେଦମ ହେବାକୁ ପଡ଼ୁଛି । ତେଣୁ ଏହି ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବା ଦିଗରେ ଜିଲ୍ଲା ପ୍ରଶାସନ ସହିତ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।