ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଦୂର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତରେ ହାତୀପଲ ଉତ୍ପାତ କରିବା ସହ ଘରଦ୍ୱାର ଭଙ୍ଗାରୁଞ୍ଜ କରିଛନ୍ତି। ଗତ କିଛି ଦିନ ହେବ ରାତିରେ ଏହି ହାତୀପଲ କୁମଖାଲ ପଞ୍ଚାୟତର ପୁନିଗୁଡା ଗ୍ରାମର ପାଲଖମନ ଠାରେ ଥିବା ଏକୁଟିଆ ଡୁଦୁ ମାଝୀଙ୍କ ଘରେ ଆତଙ୍କ ଖେଳାଇଥିଲେ। ୧୦ରୁ ଊର୍ଦ୍ଧ୍ୱ ହାତୀପଲ ଡୁଦୁଙ୍କ ମାଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ, କୋଳଥ ସହିତ ଘରେ ଥିବା ବିଭିନ୍ନ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ।
ଏହି ସମୟରେ ଘରେ ଥିବା ଡୁଦୁର ସ୍ତ୍ରୀ ନୀତୁ ମାଝୀ ଓ ପୁଅ ସୁମନ୍ତ ମାଝୀ(୯) ଘର ପଛପଟୁ ବାହାରି ଜୀବନ ବିକଳରେ ନିକଟସ୍ଥ କୁମ୍ଭାର ପଡା ଠାରେ ଯାଇ ଆଶ୍ରୟ ନେଇଥିଲେ। ତେବେ ହାତୀ ଉପଦ୍ରବ ଯୋଗୁଁ ଡୁଦୁ ମାଝୀଙ୍କ ପରିବାର ସର୍ବସ୍ୱାନ୍ତ ହୋଇ ପଡ଼ିଥିବା ବେଳେ ଗ୍ରାମର ଅନ୍ୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।