କେନ୍ଦୁଡିହି ଅଞ୍ଚଳରେ ହାତୀ ଉପଦ୍ରବ, ଜଣେ ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜ କେନ୍ଦୁଡିହି ଅଞ୍ଚଳରେ ହାତୀ ଉପଦ୍ରବ। କେନ୍ଦୁଡିହି ପଞ୍ଚାୟତର କୋଡବାହାଲ ଏବଂ ବାଦିବାହାଲ ଗ୍ରାମରେ ଗତକାଲି ରାତ୍ରିରେ ୨ଟି ହାତୀ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହିତ ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ କୋଡବାହାଲ ଗ୍ରାମର ନେନି ଉର୍ମା।

ବୃଦ୍ଧା ଜଣଙ୍କ ଭୋରରୁ ଶୌଚ ପାଇଁ ନିକଟ ଜଙ୍ଗଲକୁ ଯାଉଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବାଦିବାହଲ ଗ୍ରାମରେ ହାତୀ ଦୁଇଟି ପଶି ଦୋକାନ ଘର ଭାଙ୍ଗି ଜିନିଷପତ୍ର ଖାଇବା ସହିତ ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।