ହାତୀ ଶିକାର କରି ଦାନ୍ତ କାଟିଲେ ଦୁର୍ବୃତ୍ତ, ୨ ଗିରଫ୍

ବାରିପଦା,ଏନ୍ଏନ୍ଏସ୍: ହାତୀ ମାରି ଦାନ୍ତ କାଟି ନେଲେ ଦୁର୍ବୃତ୍ତ। ଖବରପାଇ ବାରିପଦା ବନଖଣ୍ଡ ଉଦଳା ରେଞ୍ଜ ଅଙ୍ଗାରପଦା ଗାଁରେ ବନବିଭାଗ ଚଢ଼ଉ କରି ୪୫ କେଜି ଓଜନର ୨ଟି ହାତୀ ଦାନ୍ତ ଜବତ କରିଛି।

ଗ୍ରାହକ ବେଶରେ ବନ ବିଭାଗ ଅଧିକାରୀ ଯାଇ ଏହି ହାତୀ ଦାନ୍ତ ଜବତ କରିଛନ୍ତି। ଏଥିସହ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ୨ ଶିକାରୀ ହେଲେ ଫାଗୁରାମ ହାଁସଦା ଓ ରାମଚନ୍ଦ୍ର ହାଁସଦା। ଏମାନେ ଶିମିଳିପାଳ ଅଭୟାରଣ୍ୟର ବୋଫର ଅଞ୍ଚଳର ଅନନ୍ତପୁର ଗାଁର ବୋଲି ଜଣାପଡିଛି। ପଚରାଉଚରା ବେଳେ ଏମାନେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ଶିକାର କରିଥିବା ମାନିଥିବା ବନ ବିଭାଗ ସୂଚନା ଦେଇଛି।

ସୂଚନା ମୁତାବକ ଗତ କିଛିଦିନ ତଳେ ଉଦଳା ଓ କପ୍ତିପଦା ଅଞ୍ଚଳରେ ଦୁଇଟି ହାତୀ ଶିକାର ହୋଇଥିଲା। ତେବେ ଜବତ ହୋଇଥିବା ଦାନ୍ତ ଏହି ଦୁଇ ହାତୀର ନା ଅନ୍ୟ ହାତୀର ସେ ନେଇ ବନ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ କେମିକାଲ ଟେଷ୍ଟିଂ କରିବାକୁ ଡେରାଡୁନ ପଠାଯିବ। ଏହାସହ ଗିରଫ ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଆନ୍ତଃରାଜ୍ୟ ସ୍ମଗଲରଙ୍କ ସହ ଏମାନଙ୍କ ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି।