ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ହରିହରପୁର ଗାଁ’ରେ ଶୁକ୍ରବାର ଏକ ଦନ୍ତାହାତୀ ପଶି ଜଣେ ୧୦ବର୍ଷର ଶିଶୁ କନ୍ୟାକୁ ଦଳି ମରିଦେଇଛି। ଦନ୍ତା ଗ୍ରାମର ଶୈଳେନ୍ଦ୍ର ମହାନ୍ତଙ୍କ ୧୦ବର୍ଷର ଝିଅ ସୁବାସିନୀ ମହାନ୍ତକୁ କଚାଡି ମାରିଦେଇଛି ହାତୀ। ସୁବାସିନୀ ଆଜି ନବୋଦୟ ପରୀକ୍ଷା ଦେଇଥାନ୍ତେ। ୪ବର୍ଷ ତଳେ ବାପା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ଦିନ ମଜୁରିଆ ଭାବରେ ଭୁବନେଶ୍ୱରରେ କାମ କରନ୍ତି। ତେବେ ଗତକାଲି ବିଳମ୍ବିତ ରାତିରେ ପାଟଣା ରେଞ୍ଜ ଅଞ୍ଚଳରେ ୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଦେଇଥିବା ବେଳେ ସନ୍ଧ୍ୟାରେ ଗାଁ’ରେ ପଶି ଜଣେ ଶିଶୁକୁ ଦଳି ମାରିଦେଇଛି।
ଏ ନେଇ ଗାଁ’ରେଉତ୍ତେଜନା ଦେଖାଦେବା ସହ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୨୨୦ନଂ ରାଜପଥକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ସାହାରପଡ଼ା ତହସିଲଦାର ଲମ୍ବୋଦର ଖୁଣ୍ଟିଆ ଓ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇ ରେଡକ୍ରସ୍ ପକ୍ଷରୁ ୧୦ହଜାର ଓ ବନବିଭାଗ ତରଫରୁ ୪୦ ହଜାର ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ପରେ ରାସ୍ତାରୋକ ଉଠିଥିଲା।
ସେହିପରି ପାଟଣା ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ସମ୍ପର୍କୀୟମାନେ ଶବକୁ ଘର ଲୋକଙ୍କ ଅଗୋଚରରେ ବ୍ୟବଚ୍ଛେଦ ପାଇଁ ମେଡିକାଲ ଆଣି ଥିବା ଅଭିଯୋଗ କରି ଶବ ବ୍ୟବଛେଦ କରାଇ ନଦେବାକୁ ଜିଦ୍ କରି ଅଡ଼ି ବସିଥିଲେ। ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ସମ୍ପର୍କୀୟଙ୍କୁ ବୁଝାସୁଝା କରାଇବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ପାଟଣା ଥାନାରେ ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।