ବଲାଙ୍ଗିରରେ ହାତୀ ଆତଙ୍କ, ତୁରେକେଲା ଜଙ୍ଗଲରେ ୩୦ ହାତୀ

ବଲାଙ୍ଗିର,୨୭ା୮/ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ହେଲା ହାତୀ ଆତଙ୍କ ଦେଖାଦେଇଛି । ହାତୀମାନେ ବ୍ୟାପକ ପରିମାଣରେ ଫସଲ ଓ କପା ନଷ୍ଟ କରୁଥିବା ନେଇ ଅଭିଯୋଗ ହେଉଛି । ପ୍ରାୟ ୩୦ଟି ହାତୀ ତୁରେକେଲା ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି । ଜଙ୍ଗଲ ବିଭାଗ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ ସଫଳ ହୋଇ ପାରିନାହିଁ ।

ସୂଚନା ଅନୁଯାୟୀ ପ୍ରାୟ ଏକ ସପ୍ତାହ ହୋଇଯିବ ଏହି ହାତୀମାନେ ତୁରେକେଲା ଜଙ୍ଗଲକୁ ଆସିଛନ୍ତି । ନୂଆପଡ଼ା ସୁନାବେଡା ଜଙ୍ଗଲରୁ ଏହି ହାତୀମାନେ ତୁରେକେଲା ଜଙ୍ଗଲକୁ ଚାଲି ଆସିଥିବା କୁହାଯାଉଛି। ହାତୀ ପଲ୍ଲ ଦିନବେଳା ତୁରେକେଲା କଲେଜ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି । ରାତିରେ ସେମାନେ ଜନବସତି ଆଡ଼କୁ ମାଡ଼ି ଆସି ବ୍ୟାପକ କ୍ଷତି ଘଟାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ହାତୀମାନେ ବିଶେଷ କରି ଏହି ଅଞ୍ଚଳରେ ଚାଷ କରାଯାଇଥିବା କପା ଚାଷକୁ ନଷ୍ଟ କରି ଦେଉଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଲାଗି ରହିଛି । ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଜଙ୍ଗଲ ବିଭାଗ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ପାରିନାହିଁ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ହାତୀମାନେ ଯେତେବେଳେ ଜବବସତି ଆଡକୁ ଆସୁଛନ୍ତି , ସେତେବେଳେ ସ୍ଥାନୀୟ ଲୋକେ ହିଁ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି । ଜଙ୍ଗଲ ବିଭାଗ ଠିକଣା ସମୟରେ ପହଞô୍ଚ ପାରୁନାହିଁ । ହାତୀ ଚାଲିଯିବା ପରେ ଜଙ୍ଗଲ ବିଭାଗ ଅଧିକାରୀମାନେ ଆସି ପହଞ୍ଚୁଛନ୍ତି । ତେବେ ସେମାନଙ୍କୁ ତୁରନ୍ତ ଘଉଡ଼ାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।