କେରଳ ଗର୍ଭବତୀ ହାତୀ ମୃତ୍ୟୁ ଘଟଣା, ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

କେରଳ,ଏଜେନ୍ସି: କେରଳ ମାଲାପୁରାମ ଜିଲ୍ଲାରେ ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ କେରଳ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ ଗିରଫ ବ୍ୟକ୍ତି ଜଣକ କ୍ଷେତରେ କାମ କରନ୍ତି। ଗୋଟିଏ ଦିନ ପୂର୍ବରୁ ହିଁ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କେରଳ ବନ ବିଭାଗ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରୁଥିଲା।

ସୂଚନାଯୋଗ୍ୟ ଯେ, କେରଳର ମାଲାପୁରାମରେ ଜଣେ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଯୋର ଧରିଛି। ଯେତେବେଳେ ଗର୍ଭବତୀ ହାତୀ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ନିକଟରେ ଥିବା ଏକ ଗ୍ରାମରେ ପହଞ୍ଚିଥିଲା, କିଛି ଶିକାରୀ ପ୍ରକୃତିର ଲୋକ ଏକ ସପୁରୀ ମଧ୍ୟରେ ବିସ୍ଫୋରକ ଭର୍ତ୍ତି କରି ହାତୀଟିକୁ ଖାଇବାକୁ ଦେଇଥିଲେ। ବିସ୍ଫୋରଣ ହେତୁ ହାତୀଟିର ମୁହଁରେ ଗଭୀର କ୍ଷତ ହୋଇଥିଲା। ଫଳରେ ହାତୀଟି କୌଣସି ଖାଦ୍ୟ ଖାଇପାରିନଥିଲା। ପରେ ହାତୀଟି ସ୍ଥାନୀୟ ନଦୀ ପାଣିରେ ବୁଡ଼ି ରହିଥିଲା। ହାତୀଟି ପାଲକ୍କଡ ଜିଲ୍ଲାର ସାଇଲେଣ୍ଟ ଭ୍ୟାଲି ନ୍ୟାସନାଲ ପାର୍କରେ ରହୁଥିଲେ। ବୁଧବାର ଏହି ଦୁଃଖଦ ଘଟଣା ସମ୍ପର୍କରେ ସ୍ଥାନୀୟ ମନାର୍କଡୁ ପୁଲିସ ଷ୍ଟେସନ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।

ଗର୍ଭବତୀ ହାତୀଟିର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଯାହା ଜଣାପଡିଛି ଯେ ବିସ୍ଫୋରଣ ହେତୁ ହାତୀଟିର ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କିଛି ଖାଦ୍ୟ ଏବଂ ପାଣି ମଧ୍ୟ ଗ୍ରହଣ କରି ନପାରି ହାତୀଟି ପ୍ରାଣ ହରାଇଥିଲା। ରିପୋର୍ଟ ଅନୁଯାୟୀ ହାତୀଟି ବୁଡ଼ିଯିବା କାରଣରୁ ଶରୀର ଭିତରେ ପାଣି ପଶିଯାଇଥିଲା ଫୁସଫୁସ କାମ କରିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିଲା।

ତେବେ ଏହି ଘଟଣାକୁ ଦେଶ ସାରା ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ତଦନ୍ତକାରୀ ଦଳ ସନ୍ଦେହରେ ଥିବା ତିନି ଅଭିଯୁକ୍ତଙ୍କ ଉପରେ ନଜର ରଖିଛନ୍ତି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜୟ ସୂଚନା ଦେଇଛନ୍ତି । ସେପଟେ ସୋସିଆଲ ମିଡିଆରେ ଲୋକମାନେ ଏହି ଘଟଣାରେ ସାମିଲ ଥିବା ଅପରାଧୀଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛନ୍ତି ।