ପଛ ପଟୁ ଟେକି କଚାଡ଼ି ଦେଲା ହାତୀ, ୨ମୃତ, ମହିଳା ଗୁରୁତର

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଡ଼କୁଦର ଗ୍ରାମରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଣି ଅପରାହ୍ଣରେ ସେହି ହାତୀ ଆକ୍ରମଣରେ ଏକ ଛେଳୀ ଚରାଳୀର ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

 

 

ସୂଚନା ଅନୁସାରେ କଣ୍ଟାବାହାଳ ପଞ୍ଚାୟତ ଶୁଣ୍ଢିନାଳୀ ଗ୍ରାମର ୫୮ ବର୍ଷୀୟ ସୀତା ସାହୁ ଜଙ୍ଗଲକୁ ସୌଚ ହେବାକୁ ଯାଇଥିବାବେଳେ ପଛପଟୁ ହାତୀ ଆସି ତାକୁ କଚାଡ଼ି ଦେଇଥିଲା। ପରେ ସେଠାରୁ ମହିଳା ଜଣଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ପିଠିରେ ଗଭୀର ଆଘାତ ଲାଗିଥିଲା।

ସେହିପରି ଲୁଲଙ୍ଗ ଗ୍ରାମପଞ୍ଚାୟତ ବଡ଼କୁଦ ଗ୍ରାମର ଶନିଆ କୁଦର(୬୫) ବିଲକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ହାତୀ କଚାଡ଼ି ଦେବାକୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ସକାଳର ହାତୀ ଆକ୍ରମଣ ଭୟ ଗ୍ରାମବାସୀଙ୍କ ମନରୁ ଲିଭି ନଥିବା ବେଳେ ଅପରାହ୍ଣ ପ୍ରାୟ ୪ଟା ସମୟରେ ଶୁଣ୍ଢିନାଳି ଗ୍ରାମର କୋହ୍ଲ ବାଘ (୫୮) କାଠହଣା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଦନ୍ତାହାତୀ ଶୁଣ୍ଢରେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହାତୀ ଭୟରେ ଗ୍ରାମବାସୀ ଉକ୍ତ ଜଙ୍ଗଲକୁ ଯିବାକୁ ଭୟ କରୁଥିବା ବେଳେ ମୃତକଙ୍କ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ମୃତ ଦେହ ଉଦ୍ଧାର କରିପାରି ନାହାନ୍ତି।

ବନ ବିଭାଗର ଆଉ କିଛି କର୍ମଚାରୀ ଉକ୍ତ ଅଞ୍ଚଳକୁ ପଠାଯାଉଥିବା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେହିପରି ସକାଳେ ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ମୃତ ପରିବାରଙ୍କୁ ସହାୟତା ଦେବାକୁ ଯାଇଥିବା ଦେବଗଡ଼ ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ ଓ ଜିଲ୍ଲାପରିଷଦ ସଦସ୍ୟା ନିଶାନୀ ବେହେରାଙ୍କ ଉପସ୍ଥିତିରେ ଉକ୍ତ ହାତୀ ଛେଳି ଚରାଳୀଙ୍କୁ ଶୁଣ୍ଢରେ କଚାଡି ଦନ୍ତା ମାରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ସମୟରେ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିବା ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି।