ଚନ୍ଦକା ଫେରିଲା ନରହନ୍ତା ଦନ୍ତା

ପାତ୍ରପଡାରେ ମହିଳାଙ୍କୁ ଆକ୍ରମଣ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୪ ଦିନ ହେଲା ବିଭିନ୍ନ ଜନବସତିରେ ଆତଙ୍କ ସୃଷ୍ଟି କରିଥିବା ୪ ଜଣଙ୍କୁ ଦଳି ଦେଇଥିବା ନରହନ୍ତା ଦନ୍ତାକୁ ସୋମବାର ସନ୍ଧ୍ୟାରେ ଚନ୍ଦକା ଜଙ୍ଗଲକୁ ଘଉଡ଼ାଇ ଦିଆଯାଇଛି। ଫଳରେ ଆତଙ୍କିତ ଅବସ୍ଥାରେ ଥିବା ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି। ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି। ତେବେ ଘନକୁହୁଡି ଯୋଗୁୂଁ ହାତୀଟି ବରୁଣେଇ ପାହାଡ଼ରୁ ବାଟ ଭୁଲି ପିପିଲି ଆଡ଼କୁ ପଳାଇଥିବା ବନ ବିଭାଗ ସନ୍ଦେହ କରୁଛି। ତେବେ ଏହାର ଅନୁଧ୍ୟାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପିପିଲି, ନିମାପଡ଼ା, ବଳଙ୍ଗା ଅଞ୍ଚଳରେ ଦନ୍ତା ଆତଙ୍କ ସୃଷ୍ଟି କରିବା ପରେ ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲା। ରବିବାର ସନ୍ଧ୍ୟାରୁ ବନ ବିଭାଗ ପକ୍ଷରୁ ‘ଅପରେସନ ଗଜରାଜ’ ଆରମ୍ଭ ହୋଇଥିଲା। ନିମାପଡ଼ାରୁ ପିପିଲି ବଜାର ଦେଇ ହାତୀ ଜଟଣୀ ଅଭିମୁଖେ ଆସିଥିଲା। ବିଳମ୍ବିତ ରାତିରେ କଣ୍ଟି ଭାରତୀପୁର ନିକଟରେ ଦନ୍ତା ହାତୀ ବନ ବିଭାଗ କର୍ମଚରୀଙ୍କୁ ଚକମା ଦେଇ ଅନ୍ତର୍ଦ୍ଧାନ ହୋଇଯାଇଥିଲା। କୁହୁଡ଼ି ଯୋଗୁଁ ହାତୀକୁ ଠାବ କରିବା ସମ୍ଭବ ହୋଇପାରିନଥିଲା। ବନ ବିଭାଗ କର୍ମଚାରୀମାନେ ହାତୀକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ହାତୀକୁ ଠାବ କରିପାରିନଥିଲେ।

ଭୋରରୁ ହାତୀଟି ସୁନ୍ଦରପଦା ନିକଟସ୍ଥ ପାଞ୍ଚଗାଁ ରାସ୍ତାରେ ମଳତ୍ୟାଗ କରିଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହା ଜଣାପଡ଼ିବା ପରେ ହାତୀଟି ଭୁବନେଶ୍ୱର ମୁହାଁ ହୋଇଥିବା ବନ କର୍ମଚାରୀମାନେ ସ୍ପଷ୍ଟ ହୋଇଥିଲେ। ପରେ ସିଟି ଡିଭିଜନ, ଚନ୍ଦକା ଡିଭିଜନ ଓ ଖୋର୍ଦ୍ଧା ଡିଭିଜନର ଡିଏଫଓ ଏବଂ କର୍ମଚାରୀମାନଙ୍କୁ ଆଲର୍ଟ କରାଯାଇଥିଲା। ହାତୀକୁ ଖୋଜିବାକୁ ୬୦ରୁ ଅଧିକ ବନ କର୍ମଚାରୀ ଲାଗି ପଡ଼ିଥିଲେ। ଏଥିସହିତ ଏୟାରଫିଲ୍ଡ, ତମାଣ୍ଡୋ, ଜଟଣୀ ଓ ଖଣ୍ଡଗିରି ପୁଲିସ ଟିମ ମଧ୍ୟ ଅପରେସନରେ ସାମିଲ ହୋଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ସହଯୋଗ କରିଥିଲେ।

ସକାଳୁ ସକାଳୁ ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିର ମହିଳା ଗାଙ୍ଗି ମୁଣ୍ଡା ବାହାରକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣ କରୁଥିବା ବେଳେ ତାଙ୍କ ଶାଲ୍ଟିକୁ ଶୁଣ୍ଢରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ ସେ ଶାଲ ଛାଡ଼ି ପଳାଉଥିବା ବେଳେ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ବସ୍ତି ଲୋକେ ହୋହଲ୍ଲା କରିବାରୁ ହାତୀଟି ଘାଟିକିଆରେ ଥିବା ମେଡିସିନାଲ ପ୍ଲାଣ୍ଟ ଗାର୍ଡେନ ଭିତରକୁ ପଶି ଯାଇଥିଲା। ଖବରପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ହାତୀର ଗତିବିଧି ଉପର ନଜର ରଖିଥିଲେ। ମେଡିସିନାଲ ପ୍ଲାଣ୍ଟ ଗାର୍ଡେନ ଆଖାପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରିବା ସହ ରାସ୍ତାକୁ ସିଲ୍ କରିଦେଇଥିଲେ।

ଦିନ ବେଳେ ହାତୀକୁ ଘଉଡ଼ାଇବା ସମ୍ଭବ ନଥିବାରୁ ବନ କର୍ମଚାରୀମାନେ ତାକୁ ଜଗି ରହିଥିଲେ। ହାତୀଟି ମେଡିସିନାଲ ପ୍ଲାଣ୍ଟ ଗାର୍ଡେନ ଭିତରେ ବିଚଳିତ ଭାବେ ଘୁରି ବୁଲିଥିଲା। ଦନ୍ତା ଜନବସତିକୁ ପଶି ଆସିବାର ସମ୍ଭାବନା ଥିବାରୁ ଆଖାପାଖ ଲୋକେ ଘରୁ ବାହାରିନଥିଲେ। ଦିନତମାମ ହାତୀଟି ମେଡିସିନାଲ ପ୍ଲାଣ୍ଟ ଗାର୍ଡେନ ଭିତରେ ରହିବା ପରେ ସନ୍ଧ୍ୟାରେ ବାହାରକୁ ବାହାରିଥିଲା। ହାତୀ ବାହାରିବା ପରେ ବନ ବିଭାଗ ପକ୍ଷରୁ ଘଉଡ଼ାଇବା କାମ ଆରମ୍ଭ କରାଯାଇଥିଲା। ମାତ୍ର କିଛି ସମୟ ମଧ୍ୟରେ ହାତୀଟି ଘାଟିକିଆ ବିପୁଲ ଗାର୍ଡେନ ଓ ପାଇକରାପୁର ଦେଇ ମୟୂର ପାହାଡ଼କୁ ପଳାଇଯାଇଥିଲା। ସେଠାରୁ ସେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରକୁ ପଳାଇବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

୪ଦିନ ତଳେ ଏହି ଦନ୍ତା ହାତୀଟି ଚନ୍ଦକା ଜଙ୍ଗଲରୁ ବାହାରି ଖୋର୍ଦ୍ଧା ବନଖଣ୍ଡର ବରୁଣେଇ ପାହାଡ଼ ଦେଇ ବାଟହୁଡି ପିପିଲି, ନିମାପଡା ଆଡ଼କୁ ପଳାଇଯାଇଥିଲା। ଜନବସତି ଭିତରେ ହାତୀଟି ଆତଙ୍କ ଖେଳାଇବା ସହ ୪ ଜଣଙ୍କ ଜୀବନ ନେଇଥିଲା। ଏଥିସହିତ ୭ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ତେବେ ଲୋକେ ହାତୀ ରାସ୍ତାରେ ପ୍ରତିବନ୍ଧକ ସାଜିବା ଓ ତାକୁ ରଗେଇବାରୁ ସେ ଆକ୍ରମଣ କରିଥିବା ପିସିସିଏଫ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ହାତୀ କେଉଁ ପରିସ୍ଥିତିରେ ଓ କେଉଁ ରୁଟରେ ପିପିଲି, ନିମାପଡ଼ା ଆଡ଼କୁ ଗଲା, ତାହାର ଅନୁଧ୍ୟାନ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।