ସ୍ୱାଧୀନତାର ୭୩ ବର୍ଷ ପରେ ଜମ୍ମୁ-କଶ୍ମୀରର ଏହି ଗ୍ରାମକୁ ବିଦ୍ୟୁତ ସଂଯୋଗ

ଜମ୍ମୁ,ଏଜେନ୍ସି: ଦେଶ ସ୍ୱାଧୀନ ହେବାର ପ୍ରାୟ ୭୩ ବର୍ଷ ପରେ ଜମ୍ମୁ-କଶ୍ମୀରର ଏକ ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯାଇଛି। ଆଜକୁ ସାତ ଦଶନ୍ଧି ଧରି ଅନ୍ଧାରରେ ଚଳିଆସୁଥିବା ଡୋଡା ଜିଲ୍ଲାର ଏହି ଗ୍ରାମବାସୀ ଶେଷରେ ରବିବାର ବିଦ୍ୟୁତ ଆଲୁଅ ଦେଖିବାକୁ ପାଇଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିଥିବା ପ୍ରକାଶ। ଜିଲ୍ଲା ପ୍ରଶାସନ ମାତ୍ର ୧୫ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରି ଏହି ଦୁର୍ଗମ ଗ୍ରାମରେ ବିଦ୍ୟୁତ ସଂଯୋଗ କରିଥିବାରୁ ଗ୍ରାମବାସୀ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଜିଲ୍ଲା ବିକାଶ କମିଶନର ରବିବାର ଉକ୍ତ ଗ୍ରାମକୁ ଯାଇ ଏକ ବଲବ ଜଳାଇବାପରେ ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦିତ ହୋଇଥିବା ଜଣାପଡିଛି।