ବିଦ୍ୟୁତ ତାର ଲାଗି ଜଣେ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁରେମାଲ ରେ ଶନିବାର ବିଦ୍ୟୁତ ତାର ଲାଗି ଜଣେ ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣକ ଲାଲୁ ଖଡିଆ(୬୧) ବୋଲି ଜଣା ପଡିଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଂଚି ଶବ ଉଦ୍ଧାର କରି ତଦନ୍ତ ଚଲାଇଛି।

ସୁଚନା ଅନୁଯାୟୀ, କୁରେମାଲ ଗ୍ରାମରେ ଏକ ବେଆଇନ ଭାବରେ ଚାଲୁଥିବା ଇଟା ଭଟାକୁ ବିଦ୍ୟୁତ ଯୋଗାଇବା ପାଇଁ ଜମଗାଁ ପଂଚାୟତ ତେଲେନ ଗ୍ରାମରୁ ଅହିରା ନାଳ ଦେଇ ବିଦ୍ୟୁତ ତାର ନିଆ ଯାଇଥିଲା। ଶନିବାର ଅପରାହ୍ଣରେ ଅହିରା ନାଳରେ ଲାଲୁ ଓ ତାଙ୍କ ଦୁଇ ପୁଅ ମାଛ ଧରୁଥିବା ସମୟରେ ଲାଲୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ଥିଲେ।

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଲାଲୁଙ୍କ ଜୀବନ ଯାଇଛି ବୋଲି ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀମାନେ ବେଆଇନ ଭାବରେ ଚାଲୁଥିବା ଇଟା ଭଟା ମାଲିକଙ୍କଠାରୁ ଟଙ୍କା ନେଇ ବିଦ୍ୟୁତ ସଂଯୋଗ କରାଇଥିଲେ। ଟଙ୍କା ଲୋଭରେ ଆସି ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ନାଳ ଦେଇ ବିଦ୍ୟୁତ ତାର ଟାଣି ନଥିଲେ ଆଜି ଲାଲୁଙ୍କ ଜୀବନ ଯାଇ ନଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କର ପରିବାର ବର୍ଗଙ୍କୁ ବିଦ୍ୟୁତ ବିଭାଗ ଓ ଇଟା ଭଟା ମାଲିକ ଉଚିତ କ୍ଷତି ପୁରଣ ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପଟେ ବେଲପାହାଡ ବିଦ୍ୟୁତ ବିଭାଗ ଏସଡିଓ କହିଛନ୍ତି ଇଟା ଭଟାକୁ ବିଭାଗ ପକ୍ଷରୁ ଲାଇନ ଯୋଗାଇ ଦିଆଯାଇ ନଥିଲା। ତେବେ କିଏ ଏହି ତାର ଇଟା ଭଟା ପର୍ଯ୍ୟନ୍ତ ଟାଣିଥିଲା ତାହା ତଦନ୍ତ ପରେ ଜଣା ପଡିବ ଏହା ସହ ଚୋରା ବିଦ୍ୟୁତ ତାର ଟାଣି ଥିବା ବ୍ୟକ୍ତି ଉପରେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।