ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଉଚ୍ଚପ୍ରାଥମିକ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ଯେପରି ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ମୌଳିକ ସୁବିଧା ମିଳିବ ସେ ଦିଗରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ମାଧ୍ୟମିକସ୍କୁଲ ଛାତ୍ରଛାତ୍ରୀମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚତ ହୁଅନ୍ତି ତେବେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ସେହିପରି ୨୦୨୦ ମାଟ୍ରିକ ପରୀକ୍ଷା ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରର ଭିତ୍ତିଭୂମିକୂୁ ଗୁରୁତ୍ୱ ଦେବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟର କେଉଁ ସବୁ ସ୍କୁଲରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ ତାହାର ତାଲିକା ପ୍ରସ୍ତୁତ କରିବାକୁ କୁହଯାଇଛି।
ରିପୋର୍ଟ ଅନୁଯାୟୀ, ରାଜ୍ୟରେ କେବଳ ୨୬୮୨ଟି ମାଧ୍ୟମିକ ସ୍କୁଲ ରହିଛି। ସମଗ୍ର ଶିକ୍ଷା ଯୋଜନାରେ ଅନୁଦାନ ରାଶି ବଢ଼ିବା ଯୋଗୁଁ ନବମ ଏବଂ ଦଶମ ଶ୍ରେଣୀର ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତେବେ କିଛି ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ନଥିବା ବେଳେ ଅନେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁନି। ତେବେ ରାଜ୍ୟର ପ୍ରାୟ ୫୩ ପ୍ରତିଶତ ସ୍କୁଲରେ ବିଭିନ୍ନ ସମସ୍ୟା ଥିବା ଜଣାପଡ଼ିଛି।
ରାଜ୍ୟର ସ୍କୁଲଗୁଡିକରେ ମୌଳିକ ସୁବିଧା ମଧ୍ୟରେ ବିଦ୍ୟୁତ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଇଛି। ଏନେଇ ବ୍ୟବସ୍ଥାର ସ୍ଥିତିକୁ ଅନୁଧ୍ୟାନ କରାଯାଇ ସ୍କୁଲଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ। ତେବେ ଆସନ୍ତା ଏକ ମାସ ମଧ୍ୟରେ ପ୍ରତ୍ୟେକ ସ୍କୁଲର ସ୍ଥିତି ଅନୁଧ୍ୟାନ କରି ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସ୍କୁଲର ପ୍ରଧାନଶିକ୍ଷକ ଏହି ରିପୋର୍ଟ ପ୍ରଦାନରେ ବିଳମ୍ବ କରିବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ।
ତେବେ ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରାୟ ୩ହଜାର ମାଧ୍ୟମିକ ସ୍କୁଲର ସ୍ଥିତି ଅତ୍ୟନ୍ତ ନୈରାଷ୍ୟଜନକ। ୬୫ପ୍ରତିଶତ ସ୍କୁଲରେ ସବୁ ଶ୍ରେଣୀ ଲାଗି ବିଦ୍ୟୁତ୍ ସୁବିଧା ନଥିବା ବେଳେ ୬୯ ପ୍ରତିଶତ ସ୍କୁଲରେ କେବଳ ସ୍କୁଲକୁ ବିଦ୍ୟୁତ ସଂଯୋଗ ମିଳିଛି। ଏନେଇ ରାଜ୍ୟର ସବୁ ସ୍କୁଲର ସ୍ଥିତି ଯାଞ୍ଚ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।
ମାଟ୍ରକି ପରୀକ୍ଷାକୁ ନଜର ଦେଉ ସବୁ ସ୍କୁଲର ଶ୍ରେଣୀକକ୍ଷର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯିବ। ପ୍ରତ୍ୟେକ ଶ୍ରେଣୀରେ ଥିବା ଚେୟାର, ବେଞ୍ଚ ଏବଂ ଫ୍ୟାନ୍ ସ୍ଥିତିକୁ ଯାଞ୍ଚ କରାଯିବ। ବିଦ୍ୟୁତ ସଂଯୋଗ ସବୁ ପରୀକ୍ଷାକେନ୍ଦ୍ରକୁ କରିବା ଲାଗି ନିର୍ଦ୍ଦେଶ ମଦ୍ୟ ଦିଆଯାଇଛି। ତେବେ ଆସନ୍ତା ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି।