ବିଦ୍ୟୁତ୍ ଆଘାତରେ ସାଉଥକୋ ଠିକା କର୍ମଚାରୀ ମୃତ

କୋରାପୁଟ, ଏନ୍ଏନ୍ଏସ୍ : ଖୁଂଟରେ ଚଢି କାମ କରୁଥିବାବେଳେ ଦଶମନ୍ତପୁର ବ୍ଲକ୍ ଚଣାବାଡ ପଂଚାୟତର ପୋଡାଯୋଡି ଗ୍ରାମରେ ବିଦ୍ୟୁତ୍ ଆଘାତରେ ସାଉଥକୋର ଜଣେ ଠିକା କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ଲକ୍ଷ୍ମୀପୁର ବ୍ଲକ୍ ପଂଚଡା ପଂଚାୟତ ଟେମାରିଗୁଡା ଗ୍ରାମର ନବୀନ ଯାନୀ(୨୦) ବୋଲି ଜଣା ପଡିଛି ।

ସୂଚନା ଅନୁଯାୟୀ, ମୃତ ନବୀନ ଓ ଅନ୍ୟ ୨ଜଣ କର୍ମଚାରୀ କାକିରିଗୁମ୍ମା ସବ୍-ଷ୍ଟେସନରେ ବିଦ୍ୟୁତ୍ ସଂଯୋଗ କାଟି ପୋଡାଜୋଡି ଗ୍ରାମକୁ ମରାମତି କାମ କରିବାକୁ ଯାଇଥିଲେ। ନବୀନ ଖୁଂଟରେ ଚଢି କାମ କରୁଥିବାବେଳେ ଅଚାନକ କେହି ବିଦ୍ୟୁତ୍ ସଂଯୋଗ କରିବାରୁ ସେ ଖୁଂଟ ଉପରେ ହିଁ ପ୍ରାଣ ହରାଇଥିଲେ। ଘଟଣାକୁ ନେଇ ଗ୍ରାମବାସୀ ଓ ସମ୍ପର୍କୀୟମାନେ ବିଭିନ୍ନ ଦାବି କରି ଆନ୍ଦୋଳନ କରିଥିଲେ।

ଦଶମନ୍ତପୁର ତହସିଲଦାର୍ ଅଜୟ ପ୍ରକାଶ ତିର୍କୀ, କୋରାପୁଟ ଏସଡିପିଓ ବଳଭଦ୍ର ଦୀପ, ଦଶମନ୍ତପୁର ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ, ସାଉଥକୋ କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ଲେଙ୍କା ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଆର୍ଥିକ ସହାୟତା ସହ ପରିବାରର ଜଣକୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମୃତକ ପରିବାରକୁ ଘଟଣା ସ୍ଥଳରେ ରେଡ୍ କ୍ରସ୍ ପାଣ୍ଠିରୁ ୧୦ ହଜାର, ସାଉଥକୋ ତରଫରୁ ଅନୁକମ୍ପା ମୂଳକ ୪୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦିଆଯାଇ ଥିବାବେଳେ କ୍ଷତି ପୂରଣ ଭାବେ ୪ ଲକ୍ଷ ଟଙ୍କା ଏବଂ ପରିବାରର ଜଣକୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି ।