ଝିଆରୀକୁ ଦୁଷ୍କର୍ମ କରି ୪୦ ବର୍ଷ ଜେଲ ଗଲା ବଡବାପା, ସହଯୋଗ ଦୋଷରେ ବଡମାଆକୁ ୩ ବର୍ଷ ଜେଲ

ନୟାଗଡ଼,ଏନ୍ଏନ୍ଏସ୍: ଝିଆରୀକୁ ଦୁଷ୍କର୍ମ ମାମଲାର ଆସିଲା ରାୟ । ଦୋଷୀ ସାବ୍ୟସ୍ତ କରି ବଡ଼ବାପାକୁ ୪୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ପକାଇଲେ ଅଦାଲତ । ସେହିପରି ଦୁଷ୍କର୍ମରେ ସହଯୋଗ କରିବା ଦୋଷରେ ବଡ଼ମାଆକୁ ମଧ୍ୟ ୩ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ୧୦ ହଜାର ଟଙ୍କା ମଧ୍ୟ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆଜି ନୟାଗଡ଼ ଫାର୍ଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଜଜ ବିରଞ୍ଚି କୁମାର ରଥ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଦୋଷୀଙ୍କୁ ଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଗତ ୨୦୧୯ ମସିହାରେ ନୟାଗଡ଼ ଜିଲ୍ଲାରେ ଏପରି ଏକ ଅମାନବୀୟ ଘଟଣା ଘଟିଥିଲା । ଝିଆରୀକୁ ଦୁଷ୍କର୍ମ କରିଥିଲା ବଡ଼ ବାପା ଭିକାରି ଜେନା ଏବଂ ଏଥିରେ ସହଯୋଗ କରିଥିଲା ପତ୍ନୀ ପ୍ରମିଳା ଜେନା । ଏନେଇ ଥାନାରେ ୨୦୧୯ ମସିହା କେସ ନଂ ୫୨ରେ ଏକ ମାମଲା ରୁଜୁ କରାଯାଇ ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟରେ ବିଚାର ଚାଲିଥିଲା । ପୀଡିତାଙ୍କ ପକ୍ଷରୁ ମାମଲା ଲଢୁଥିଲେ ସରକାରୀ ଓକିଲ ଅମୀୟ ପଟ୍ଟନାୟକ ।