ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଉତ୍ସବ, ବେଦଧ୍ବନୀରେ ପ୍ରକମ୍ପିତ ପୁରା ପରିବେଶ

ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ମହାଡମ୍ବର ଭାବେ ଚାଲିଛି । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟ ସଂରକ୍ଷଣ ପାଇଁ ଚାଲିଛି ପୂଜାର୍ଚ୍ଚନା । ସୋମବାର ଠାରୁ ପ୍ରକଳ୍ପ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଅଙ୍କୁରୋପଣ ପୂଜାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ଦ୍ବିତୀୟ ଦିନରେ ଭୂମିପୂଜନ ଅବସରରେ ପ୍ରଥମେ ସୂର୍ଯ୍ୟ ପୂଜା ଓ ଗୋ ପୂଜା ହୋଇଛି । ଦ୍ବିତୀୟ ଦିନ ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେଇଛନ୍ତି । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ, ଶ୍ରଦ୍ଧାଳୁଙ୍କ ଓଁ ନମ ଶିବାୟ ଉଚ୍ଚାରଣ ସାଙ୍ଗକୁ ନାମ ସଂକୀର୍ତ୍ତନ ପୁରା ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି ।

୨୫ରୁ ଊର୍ଦ୍ଧ୍ବ ବ୍ରାହ୍ମଣଙ୍କ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ଏକାମ୍ର କ୍ଷେତ୍ର । ଭୂମିପୂଜନ ସାଙ୍ଗକୁ ସନ୍ଧ୍ୟାରେ ଭଜନ ସମାରୋହର ଆୟୋଜନ ମଧ୍ୟ କରାଯାଇଛି । ଆସନ୍ତାକାଲି (ଜୁନ ୨୮) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ରର ଶିଳାନ୍ୟାସ କରିବେ । ଭୂମି ପୂଜନ ଉତ୍ସବ ଅବସରରେ ରଙ୍ଗବେରଙ୍ଗର ଆଲୋକାମାଳାରେ ଝଟକୁଛି ଏକାମ୍ର କ୍ଷେତ୍ର । ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।