ଦୀର୍ଘ ଦେଢ଼ ବର୍ଷ ପରେ ନୂଆ ରୂପରେ ଖୋଲିଲା ଏକାମ୍ର ହାଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗାନ୍ଧୀ ଜୟନ୍ତୀ ଅବସରରେ ନୂଆ ରୂପରେ ଖୋଲିଛି ଏକ୍ରାମ ହାଟ। ପାଖାପାଖି ଦୀର୍ଘ ଦେଢ଼ ବର୍ଷ ପରେ ଏକାମ୍ର ହାଟ ଖୋଲିଥିବା ଜଣାପଡିଛି। କୋଭିଡ କଟକଣା ଯୋଗୁଁ ତଥା ହାଟର ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଗତ ୨୦୨୦ ମାର୍ଚ୍ଚ ମାସରୁ ଏକାମ୍ର ହାଟ ବନ୍ଦ ରହିଥିଲା। ହାଟର ପରିଚାଳନା ଦାୟିତ୍ୱ ଇଡକୋ ଠାରୁ ସିଡାକକୁ ଦିଆଯାଇଛି। ହାଟରେ ପୂର୍ବଭଳି ସମସ୍ତ କାର୍ଯ୍ୟକ୍ରମ ଚାଲୁ ରହିବ। ଆଜି ମୁଖ୍ୟ ଶାସନ ସଚିବ ଏହାକୁ ଉଦଘାଟନ କରିଛନ୍ତି।

ଓଡ଼ିଶାର ହସ୍ତଶିଳ୍ପ ତଥା ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବଜାର ପାଇଁ ସୁଯୋଗ ସୃଷ୍ଟି କରିବା ଏକାମ୍ର ହାଟର ମୁଖ୍ୟ ଉଦ୍ଦେଶ୍ୟ। ଏହା ମଧ୍ୟ କୋଭିଡ୍‌ ସମୟରେ ପ୍ରଭାବିତ ହୋଇଥିବା ହସ୍ତଶିଳ୍ପୀ ତଥା ବୁଣାକାରମାନଙ୍କ ମଧ୍ୟରେ ଆଶାର ନୂତନ କିରଣ ଭାବେ ଉଭା ହୋଇଛି। ହାଟକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଯଥା-‘ଏକାମ୍ର କୁଟୀର’, ଯେଉଁଠି ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ଏବଂ ‘ଏକାମ୍ର ବଜାର’ ଯେଉଁଠି ଏକ ଖୋଲା ଜାଗା ପରିବେଷ୍ଟିତ ୩୩ଟି ଷ୍ଟଲ ଅଛି। ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ।

ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇ ପାରିବେ ତଥା ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିପାରିବେ। ଏଠାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି, ଯଦ୍ୱାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ। ଏହି ହାଟରେ ବୟନିକା, ଅମ୍ଳାନ, ସଞ୍ଚଲ ପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି।

ଏକାମ୍ର ହାଟରେ ୧୦ଟି ସ୍ୱତନ୍ତ୍ର ଜଳ ପାନ ଷ୍ଟଲ ବ୍ୟବସ୍ଥା କରାଯାଇଛି। ସେହି ଷ୍ଟଲମାନଙ୍କରେ ପାରିବାରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଗୋଟିଏ ଛାତ ତଳେ ଉପଲବ୍ଧ କରାଯାଇଛି। ପରିଦର୍ଶକ/ ପ୍ରଦର୍ଶକ/ କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ,
ମୁକ୍ତାକାଶ ମଂଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଅଛି।

ଏକାମ୍ର ହାଟ ପ୍ରତ୍ୟେକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ କୋଭିଡ୍‌-୧୯ ନିୟମ ପାଳନ ସହିତ ଖୋଲା ରହିବ। ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଖୋଲିବା ସମୟରେ ପରିବର୍ତ୍ତନ କରାଯିବ। ଏକାମ୍ର ହାଟର ପରିଚାଳନା ଦାୟିତ୍ୱ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଉପରେ ନ୍ୟସ୍ତ ହୋଇଛି।