ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳାକୁ ରାଜ୍ୟସ୍ତରୀୟ କରିବାକୁ ଉଦ୍ୟମ ହେଉ: ବଲାଙ୍ଗିର ଜିଲ୍ଲାପାଳ

ପାଟଣାଗଡ଼/ଖପ୍ରାଖୋଲ,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ରରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋମ ଯଜ୍ଞରେ ଉପଜିଲ୍ଲାପାଳ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ବସିଥିଲେ । ଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ସେହିପରି ମନ୍ଦିରରେ ସ୍ୱତନ୍ତ୍ର ପୂର୍ଣ୍ଣିମା ଭୋଗ ଲାଗି କରାଯାଇଥିଲା । ସନ୍ଧ୍ୟାରେ ଆୟୋଜିତ ହରିଶଙ୍କର ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ହରିଶଙ୍କର, ନୃସିଂହନାଥ ଓ ଗନ୍ଧମର୍ଦ୍ଦନ ପାହାଡ଼ର ପୌରାଣିକ, ଐତିହାସିକ ଓ କିମ୍ବଦନ୍ତୀ ନେଇ ଅଲୋକପାତ କରିବା ସହ ଏହି କ୍ଷେତ୍ରର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ସମ୍ପର୍କରେ କହିଥିଲେ । ପ୍ରବଳ ଜନସମାଗମ ଦେଖି ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର ଓ ଡିଏଫଓ ନୀତିଶ କୁମାର ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବ ପାଟଣାଗଡ଼ ଉପଜିଲ୍ଲାପାଳ ଡା ବିଜୟାନନ୍ଦ ସେଠୀ ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟାପକ ବଳଭଦ୍ର ଦାଶ ସଭା ସଂଯୋଜନା କରିଥିଲେ । ଶେଷ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ମା’ ସମଲେଶ୍ୱରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର ତୋରାର ସାଂସ୍କୃତିକ ଦଳ ଓ ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି ଯାତ୍ରା ପଡ଼ିଆରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ପାଠ, କଳାହାଣ୍ଡିର ଘୁମୁରା ଓ ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା । ୩ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିଲା । ଦେବୋତ୍ତର କମିଟି ସଦସ୍ୟ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।