ଧରାପଡ଼ିଲା ଗଣଶିକ୍ଷା ବିଭାଗର କେଳେଙ୍କାରୀ

ଭୁତ ଶିକ୍ଷକଙ୍କ ପରେ ଏବେ ଧରାପଡ଼ିଲେ ଭୁତ ବିତ୍ତ ପରାମର୍ଶଦାତା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ସଂସ୍କାର ଆଣିବାକୁ ପ୍ରୟାସ କରୁଥିବା ବେଳେ ଠିକ ଭାବେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶିକ୍ଷକଙ୍କ ନିଯୁକ୍ତି ଉପରେ ଗରୁତ୍ୱ ଦିଆଯାଉଛି ବୋଲି ବିଭାଗୀୟ ଅଧିକାରୀମାନେ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଦୀପତଳ ଅନ୍ଧାର ସଦୃଶ ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ସବୁ ପ୍ରକ୍ରିୟା ହେଉଛି ସେଥିରେ କେତେ ସ୍ୱଚ୍ଛତା ରହୁଛି ତାହାର ଯାଞ୍ଚ କରାଯାଉ ନାହିଁ। ତେବେ ବିଳମ୍ବରେ ହେଲେ ବି ସରକାରଙ୍କ ଚୈତନ୍ୟ ଉଦୟ ହେବା ପରେ ଉୟଭ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ସଭିଙ୍କ ଆଧାର କାର୍ଡ ଲିଙ୍କ କରାଯାଇଥିଲା। ଏହା ଲାଗୁ ହେବା ପରେ ରାଜ୍ୟରେ ଲକ୍ଷାଧିକ ଭୂତ ପିଲା ଏବଂ ଭୂତ ଶିକ୍ଷକ ଧରା ପଡ଼ିଥିଲେ। ଏବେ ଏହି ବିଭାଗରେ ନିଯୁକ୍ତି ପାଇଥିବା କିଛି ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତିିରେ ଅନିୟମିତତା ଥିବା ଧରାପଡ଼ିଛି। ତେବେ ନିଯୁକ୍ତି ସମୟରେ ନକଲି ସାଟିଫିକେଟ୍ ଦେଇଥିବା ଜଣେ ବିତ୍ତ ପରାମର୍ଶଦାତା ଧରାପଡ଼ିବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲ୍ଲାରେ ଆରଟିଇ-ଏସଏସ, ଡିପିଓ ଭାବେ ନିଯୁକ୍ତି ପାଇଥିବା ଜଣେ ଫାଇନାନସିଆଲ କନସଲଟାଣ୍ଟ ବା ବିତ୍ତ ପରାମର୍ଶଦାତାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିଯୁକ୍ତି ସମୟରେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ଯେଉଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଦାଖଲ କରିଥିଲେ ସେଥିରେ ତ୍ରୁଟି ଥିବା ଧରାପଡ଼ିଛି। ତେବେ ଗତ ଅଗଷ୍ଟ ୨୯ତାରିଖରେ ସେ ଯେଉଁ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍ ଦାଖଲ କରିଥିଲେ ସେଥିରେ ବିକମ୍ ସାର୍ଟିଫିକେଟ୍ ବିର ବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ, ଉତ୍ତରପ୍ରଦେଶରୁ ପାଇଥିବା ଦାଖଲ କରିଥିଲେ।

ସେହିପରି ସେ ନିଯୁକ୍ତି ଲାଗି ଆବଶ୍ୟକ ଦସ୍ତା ବିଜରେ ୩ଟି ଶିକ୍ଷାନୁଷ୍ଠାନର ବିକମ୍ ସାର୍ଟିଫିକେଟ୍ ଦାଖଲ କରିଥିବା ଧରାପଡ଼ିଛନ୍ତି। ତେବେ ସେଥିରୁ ଅନ୍ୟ ଦୁଇଟି ସାର୍ଟିଫିକେଟ୍ ମୟୁଭଞ୍ଜ ସ୍ଥିତ ମେଘାସନ କଲେଜ ଏବଂ ଅନ୍ୟଟି ସିଲିକନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନର ରହିଥିଲା। ଜଣେ ବ୍ୟକ୍ତି କିପରି ୩ଟି ଶିକ୍ଷାନୁଷ୍ଠାନରୁ ବିକମ୍ ସାର୍ଟିଫିକୋଟ୍ ପାଇଲେ ତାକୁ ନେଇ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା। ଏପରିକି ଏନେଇ ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ଭୁଲରେ ସେ ଏପରି ସାର୍ଟିଫିକେଟ୍ ଦାଖଲ କରିଥିବା ପ୍ରକାଶ କରିଥିଲେ। ଫଳରେ ଚାକିରୀ ନିୟମାବଳୀର ରୁଲ୍ ୨୮(୪)ଅନୁଯାୟୀ ତାଙ୍କୁ ପଦରୁ ତତକାଳୀନଭାବେ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।