ସଇଁନ୍ତଲା,ଏନ୍ଏନ୍ଏସ୍: ସମଗ୍ର ଶିକ୍ଷା ବଲାଙ୍ଗିର ଓ ସଇଁନ୍ତଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସଇଁନ୍ତଲା ବ୍ଲକ୍ର ବିଭିନ୍ନ ସ୍କୁଲରେ ଜନ ସଚେତନତା ପାଇଁ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବ୍ଲକ୍ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିବା ସହ ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ କହିଥିଲେ। ଏହା ପରେ ଏହି ରଥ ବ୍ଲକ୍ର ବିଭିନ୍ନ କ୍ଳଷ୍ଟରରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ।
୫ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିବା ଯୋଗୁଁ ମୁଖ୍ୟତଃ ଭାବେ ୬ରୁ ୧୪ ବର୍ଷ ପିଲାମାନେ ଯେପରି କେହି ଅଧାରୁ ପାଠ ଛାଡ଼ିବେ ନାହିଁ, ସମସ୍ତେ ଯେପରି ସ୍କୁଲରେ ପାଠ ପଢିବେ, ମଧ୍ୟାହ୍ନ ଭୋଜନ, ଡ୍ରେସ, ସ୍ୱାସ୍ଥ, ଖେଳ, ମୋ ଅଭିଯାନ, ଶାରୀରିକ, ସାଂସ୍କୃତିକ ଏବଂ ବାଧିତ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ବିଷୟରେ ଜନ ସଚେତନତା କରିବା ନେଇ ଏହି ରଥକୁ ପରିକ୍ରମା କରାଯିବ ବୋଲି ଅତିଥିମାନେ ସୂଚନା ଦେଇଥିଲେ। ବ୍ଲକ୍ ଶିକ୍ଷା ବିଭାଗର ଏବିଓ ନାରାୟଣ ଭୋଇ, ଅର୍ତ୍ତତ୍ରାଣ ରଥ, ହରେକୃଷ୍ଣ ନାଗ ପ୍ରମୁଖ ଉପସ୍ଥିତ ଥିଲେ।