- କୋଲକାତା: କୋଇଲା ଦୁର୍ନୀତି ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସୋମବାର ଦୀର୍ଘ ୮ ଘଣ୍ଟା ଧରି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜେରା ସରିବା ପରେ ଅଭିଷେକ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ‘ଯାଅ କ’ଣ କରିବା କଥା କର। କିନ୍ତୁ ଆମେ ଭୟଭୀତ ହେବୁ ନାହିଁ।’ ଅଭିଷେକ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ୮ ଘଣ୍ଟା ଧରି ଜେରା କରାଗଲା। ମୁଁ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଇଡି ତା’ର ଡ୍ୟୁଟି କରୁଛି ଓ ମୁଁ ମୋର ପୂର୍ଣ୍ଣ ସହଯୋଗ ଦେଉଛି। କିନ୍ତୁ ଯଦି ବିଜେପି ସିବିଆଇ ଓ ଇଡିର ଅପବ୍ୟବହାର କଲା, ତେବେ ମୁଁ ଆପଣଙ୍କୁ କହି ରଖୁଛି ଯେ ମରିଯିବି ପଛେ ମୁଣ୍ଡ ନୁଆଇଁ ବି ନାହିଁ।
ଅଭିଷେକ ଆହୁରି ମଧ୍ୟ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଓ ବିଜେପି ମଧ୍ୟରେ ଟକ୍କର ହେଲେ ବିଜେପିର ଅତ୍ୟାଚାର ବନ୍ଦ ହେବ। ୨୦୨୪ରେ ଆମେ ତାଙ୍କୁ ପରାସ୍ତ କରିବା। ବିଜେପି ତାର ସବୁ ଶକ୍ତି ଲଗାଇ ଦେଉ ହେଲେ ଆମର ଲଢ଼େଇ ଜାରି ରହିବ। ବିଜେପିର ୨୫ ବିଧାୟକ ଆମ ସମ୍ପର୍କରେ ଅଛନ୍ତି। ହେଲେ ଆମେ ତାଙ୍କୁ ନେଇନାହୁଁ। ସେହିପରି କଂଗ୍ରେସକୁ ଟାର୍ଗେଟ୍ କରି ଅଭିଷେକ କହିଛନ୍ତି ଯେ ଇଡି ଭୟରେ ଆମେ କେବେ ବି ଘର କୋଣରେ ଲୁଚି ରହିବୁ ନାହିଁ।
କୋଇଲା ଦୁର୍ନୀତି ଅଭିଯୋଗରେ ଜେରା ପାଇଁ ଆଜି ସକାଳ ୧୦.୫୦ରେ ଇଡି ଅଫିସରେ ପହଞ୍ଚିଥିଲେ ଅଭିଷେକ ବାନାର୍ଜୀ। ତାଙ୍କୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଦିନ ୧.୩୦ରେ ଅଭିଷେକଙ୍କୁ ମଧ୍ୟାହ୍ନ ଭୋଜନ କରିବାକୁ ଏକ ଘଣ୍ଟା ସମୟ ଦିଆଯାଇଥିଲା। ପ୍ରଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁସାରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ଅଭିଷେକଙ୍କ ପରେ ତାଙ୍କ ପତ୍ନୀ ରୁଜିରାଙ୍କୁ ମଧ୍ୟ ଖୁବଶୀଘ୍ର ଜେରା ହୋଇପାରେ ବୋଲି ସୂଚନା ମିଳିଛି।