ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ : ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥାବସ୍ଥାରେ ପଡ଼ିଥିବା ପ୍ରଭାବ ଧୀରେ ଧୀରେ କମିବ। ଉଦ୍ୟୋଗିକ ସଂଗଠନ ଫିକ୍କୀ ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକକୁ ସମ୍ବୋଧିତ କରିବା ଅବସରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ, କରୋନା ଯୋଗୁ ପ୍ରଥମ ୩ମାସ ଆର୍ଥିକ ଗତିବିଧିରେ ପ୍ରତିକୂଳ ପ୍ରଭାବ ପଡ଼ିବା ପରେ ଦ୍ୱିତୀୟ ୩ ମାସରେ ଅନେକ ଦିଗରୁ ସୁଧାର ଆସିଛି। ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ ସମଗ୍ର ବିଶ୍ୱକୁ ଏଥିରୁ ବାହାରିବା ପାଇଁ ଅଧିକ ସମୟ ଲାଗିବ। ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯାହା ବି ପଦକ୍ଷେପ ନେବାକୁ ପଡ଼ିବ ସେଥିପାଇଁ ଆରବିଆଇ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ। ଅର୍ଥନୈତିକ ଅଭିବୃଦ୍ଧିକୁ ଦ୍ରୁତ କରିବା ପାଇଁ ଘରୋଇ ସଂସ୍ଥାକୁ ଗବେଷଣା ଓ ନବୀକରଣ, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱାରୋପ କରିବାକୁ କୁହାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାରୁ ଘରୋଇ ସଂସ୍ଥା ଏଥିରୁ ଲାଭ ଉଠାଇବା ଦରକାର।