ସୁସ୍ଥ ଓ ସୁରକ୍ଷିତ ଖାଦ୍ୟ ପାଇଁ ‘ଇଟ୍ ରାଇଟ୍ ଷ୍ଟେସନ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାତ୍ରୀଙ୍କୁ ସୁସ୍ଥ ଓ ଉତ୍ତମ ଖାଦ୍ୟ ଯୋଗାଇଦେବାକୁ ଭାରତୀୟ ରେଳ ପକ୍ଷରୁ ‘ଇଟ୍ ରାଇଟ୍ ଷ୍ଟେସନ’ ଆରମ୍ଭ କରାଯାଇଛି। ଏଫ୍ଏସ୍ଏସ୍ଏଆଇ ଦ୍ୱାରା ୨୦୧୮ରେ ଆରମ୍ଭ ହୋଇଥିବା ‘ଇଟ୍ ରାଇଟ୍ ଇଣ୍ଡିଆ’ ଅଭିଯାନର ଏହା ଅଂଶବିଶେଷ। ଲୋକଙ୍କ ସ୍ୱାସ୍ଥ୍ୟ ପରେ ଧ୍ୟାନ ରଖି ସେମାନଙ୍କୁ ଉତ୍ତମ ଭୋଜନ ଯୋଗାଇବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

‘ଇଟ୍ ରାଇଟ୍ ଇଣ୍ଡିଆ’ ଆନ୍ଦୋଳନ ‘ଇଟ୍ ହେଲଦି’ ଓ ‘ଇଟ୍ ସେଫ୍’ ନାମକ ଦୁଇ ବ୍ୟାପକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି। ଉପଭୋକ୍ତାଙ୍କୁ ଉତ୍ତମ ଖାଦ୍ୟ ଯୋଗାଇଦେବା ନେଇ ବ୍ୟବସାୟୀମାନଙ୍କ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଏହି ଯୋଜନାରେ ପ୍ରୟାସ କରାଯାଇଛି।

ଏହାଛଡ଼ା ପଶ୍ଚିମ ରେଳବାଇ(ଡବ୍ଲୁଆର୍) ଏବଂ ଭାରତୀୟ ରେଳବାଇ ଖାଦ୍ୟପାନୀୟ ପର୍ଯ୍ୟଟନ ବିଭାଗ(ଆଇଆରସିଟିସି) ସହ ଖାଦ୍ୟ ମାନ ଯାଞ୍ଚକାରୀ ବିଭାଗ ଫୁଡ୍ ସେଫଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ) ରେଲୱେ କ୍ୟାଣ୍ଟିନ୍ ଏବଂ ରେଲ୍ୱେର ରୋଷେଇଘରେ ଖାଦ୍ୟ ପରୀକ୍ଷଣ କରି ମାନ ଯାଞ୍ଚ କରିଛନ୍ତି। ଏନେଇ ମୁମ୍ବାଇ ସେଣ୍ଟ୍ରାଲ୍ ରେଲୱେ ଷ୍ଟେସନକୁ ଏଫ୍ଏସ୍ଏସ୍ଏଆଇ ଦ୍ୱାରା ଦେଶର ପ୍ରଥମ ‘ଇଟ୍ ରାଇଟ୍ ଷ୍ଟେସନ’ର ମାନ୍ୟତା ଦିଆଯାଇଛି।