ପୂର୍ବ ଭାରତ ହେବ ଷ୍ଟିଲ୍ ହବ୍: ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ଶିଳ୍ପର ଚିନ୍ତନ ଶିବିରରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ମୁଣ୍ଡପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି। ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି। ପୂର୍ବ ଭାରତକୁ ଇସ୍ପାତ୍ ହବ୍ କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଉ ଧୀରେଧୀରେ ବିକାଶ ନୁହେଁ ବରଂ ବିକାଶ ଓ ଜୀବନଶୈଳୀ ମାମଲାରେ ବଡ ଡିଆଁ ମାରିବାକୁ ଭାରତବାସୀ ପ୍ରସ୍ତୁତ ବୋଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତିକୁ ସେ କହିଛନ୍ତି। ଏହି ପୃଷ୍ଠଭୂମିରେ ଇସ୍ପାତ ଉତ୍ପାଦନ ଦେଶରେ ବଢୁଥିବା ବଡ ଆବଶ୍ୟକତା ଆଧାରରେ ଆଗକୁ ଯିବ ବୋଲି ସେ କହିଛନ୍ତି। ଭାରତକୁ ୫ ଟ୍ରିଲିୟନ ୟୁଏସ୍ ଡଲାର ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱର ସବୁ କମ୍ପାନୀ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଆଜିର ‘ଚିନ୍ତନ ଶିବିର’ କାର୍ଯ୍ୟକ୍ରମ ଏହି ବିଷୟ ଉପରେ ବିଚାର କରିବାର ଆବଶ୍ୟକତା ଅଛି ଯେ ଭାରତ ଇସ୍ପାତ କ୍ଷେତ୍ରରେ ବିଶ୍ୱରେ କିପରି ନେତୃତ୍ୱ ନେଇପାରିବ। ଭାରତର ଇସ୍ପାତ୍ ଶିଳ୍ପକୁ ମୂଲ୍ୟ କମ୍ କରିବା, ନୂଆ ବ୍ୟବସାୟିକ ମଡେଲ ଏବଂ ଅନୁସନ୍ଧାନ ଓ ବିକାଶରେ କାର୍ଯ୍ୟ କରିବା ପାଇଁ ସୁନିଶ୍ଚିତ କରିବାକୁ ପଡିବ।

‘ଭାରତର ପ୍ରାକୃତିକ ସମ୍ବଳରୁ ଜିରୋ ଉତ୍ପାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ମୂଲ୍ୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏକ ବୃହତ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ସହଯୋଗ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।