ଇ-ବିଧାନସଭା ପାଇଁ ସରକାରଙ୍କ ତତ୍ପରତା , ୫ଟି ବ୍ରାଣ୍ଡର ଲାପଟପ୍ କିଣିପାରିବେ ବିଧାୟକ

ଭୁବନେଶ୍ୱର,ଏନଏନଏସ:  ଆଇଟି ବିଭାଗ ଧାର୍ଯ୍ୟ କରିଥିବା ରେଟ୍ ମଧ୍ୟରେ ୫ ଟି ବ୍ରାଣ୍ଡର ଲାପଟପ୍  କିଣିବାକୁ ବିଧାୟକମାନଙ୍କୁ କୁହାଯାଇଛି । ସେମାନଙ୍କୁ ୧ ଲକ୍ଷ ଟଙ୍କା ମଧ୍ୟରେ ଲାପଟପ୍ କିଣିବାକୁ କୁହାଯାଇଛି । ବିଧାୟିକ ବା ବିଧାୟକ ଅଧିକ ଦାମ୍ ଦେଇ ଲାପଟପ୍ କିଣିବାକୁ ଚାହିଁଲେ ଅବଶିଷ୍ଟ ଟଙ୍କା ନିଜ ପକେଟ୍ ରୁ ଭରଣା କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ୪୭ ଜଣ ବିଧାୟକ ଇତିମଧ୍ୟରେ କିଣିଥିବା ଲାପଟପ୍ ର ଭାଉଚର ପ୍ରଦାନ କରିଛନ୍ତି । ବିଧାନସଭାର ଇଂଟେରିୟର ଡିଜାଇନ୍ ସମ୍ପର୍କରେ ସେ କହିଥିଲେ ଏନେଇ ପୂର୍ତ ବିଭାଗ ସଚିବ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟି ୨ ଦିନ ମଧ୍ୟରେ ରିପୋର୍ଟ ଦେବ  । ରିପୋର୍ଟ ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତି ନିଆଯିବ  ।

ସେହିଭଳି ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ରହିବ । ଏଥିରେ କମିଟି ବୈଠକର ତାରିଖ ସହ ବିଧାନସଭାର ସମସ୍ତ ତଥ୍ୟ ମିଳିପାରିବ । ଅଧିବେଶନ ପୂର୍ବରୁ ବିଧାନସଭା ଆସି ବିଧାୟକମାନେ ଯେଭଳି ପ୍ରଶ୍ନ ଦାଖଲ କରୁଛନ୍ତି, ତାହା କରିବାକୁ ପଡ଼ିବ ନାହିଁ । ଆପ୍ ମାଧ୍ୟମରେ ପ୍ରଶ୍ନ ପଠାଇବେ ୬ ମାସ ଭିତରେ ନୂଆ ବ୍ୟବସ୍ଥା ଲାଗୁ ହେବ ।

ଅନ୍ୟପଟେ ଓଡ଼ିଶା ବିଧାନସଭା, ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନରେ ସାମିଲ ହୋଇଛି । ଯେଉଁଥିରୁ ବିଲ୍, ଲିଷ୍ଟ ଅଫ୍ ବିଜନେସ୍, କମିଟି, ସଦସ୍ୟ, ପ୍ରଶ୍ନ-ଉତର ଆଦି ବିଷୟରେ ଜାଣିହେବ । ସୂଚନାଯୋଗ୍ୟ ଯେ ଓଡିଶା ବିଧାନସଭାକୁ ପେପରଲେସ୍ ଓ ଇ- ବିଧାନସଭା କରାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି ।